ବଲାଙ୍ଗିର, କଣ୍ଟାବାଞ୍ଜି ଆରଏମସି ନିକଟ ଇଟାଭାଟି ପାଖ ପତରା ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ଜଗତୀ ଗାଁର ନଳିନୀ ସେଠୀ (୨୫ବର୍ଷ) ଓ ସେ ଏହି ଇଟାଭାଟିରେ ଗତ ୫ ମାସ ହେଲା କାମ କରୁଥିଲେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ନଳିନୀଙ୍କ ବାପା ଅନ୍ୟତ୍ର ବାହା ହୋଇ କୁଆଡେ ରହୁଥିବା ବେଳେ ଦୁଇ ଭାଇ ଭଉଣୀଙ୍କ ସହ ନଳିନୀ କଣ୍ଟାବାଞ୍ଜିର ଏହି ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ପାଖ ପଡିଶାର କିଛି ଲୋକ ଦେଇଥିବା ସୂଚନା ଅନୁସାରେ, ଗତକାଲି ସକାଳେ କୌଣସି କଥାକୁ ନେଇ ପାଖରେ ଥିବା ପିଉସୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ଏହା ପରେ ହଠାତ୍ ସେ ନିକଟରେ ଥିବା ପତରା ଜଙ୍ଗଲକୁ ଚାଲି ଯାଇଥିଲେ । ଅନେକ ସମୟ ଯାଏ ସେ ଆଉ ନଫେରିବାରୁ ଖୋଜାଖୋଜି କରିଥିଲେ । ପରେ ସେ ଗୋଟିଏ ଗଛରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଖବର ପାଇ କଣ୍ଟାବାଞ୍ଜି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଇଟାଭାଟିରେ କାମ କରୁଥିବା ଶ୍ରମିକ ଏବଂ ଇଟାଭାଟିର ମୁନସି ମୁକୁନ୍ଦ ବାଗକୁ ଥାନାକୁ ଡାକି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ କହିଛନ୍ତି ।