ଭୁବନେଶ୍ୱର, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ବୃତିରେ ଯନ୍ତ୍ରୀ ଥିଲେ ମଧ୍ୟ ତାଙ୍କ ପ୍ରବୃତି ଥିଲା ସାରସ୍ୱତ ସାଧନା । ‘ସାରସନ୍ଦର୍ଭ’, ‘ଇନ୍ଦ୍ରଧନୁ’, ‘ମେଘୁଆ ଆକାଶ’, ‘ଉଜୁଡ଼ା ଘରର ନକ୍ସା’, ‘ସବୁରାସ୍ତା ଏକା ଏକା’, ‘ସମକାଳୀନ ଓଡ଼ିଆ କ୍ଷୁଦ୍ରଗଳ୍ପ’ ପରି ଏକାଧିକ ସଂକଳନ ମାଧ୍ୟମରେ ଓଡ଼ିଆ କଥାସାହିତ୍ୟକୁ ତାଙ୍କର ବିପୁଳ ଅବଦାନ ରହିଛି । ଜଣେ ଅନୁବାଦକ ଭାବେ ମଧ୍ୟ ତାଙ୍କର ବିଶେଷ ପରିଚୟ ଓ ପ୍ରତିଷ୍ଠା ଥିଲା ଓ ସେ ୧୯୯୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ଉପସଭାପତି ଭାବେ ଦାୟିତ୍ୱ ନେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାରପ୍ରସାରରେ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ ।
ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ସ୍ୱର୍ଗତ ଚନ୍ଦ୍ରଶେଖରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।