ଗଞ୍ଜାମ, ଗତକାଲି ଅପରାହ୍ନରେ ଗଞ୍ଜାମ ଏସପିଙ୍କ ଛତ୍ରପୁର ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ଅଗ୍ନି ସଂଯୋଗ କରି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ପଠାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଏବଂ ପରେ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବାଦଲ ସାହୁ ଏବଂ ଘର ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁ ଅଂଚଳରେ ବୋଲି ଜଣାପଡିଛି ।
ଖବର ନେବାରେ ଜଣାପଡିଛି, ବାଦଲଙ୍କ ପରିବାରକୁ ଦୀର୍ଘ ୧୨ ବର୍ଷ ହେଲା ଗାଁରେ ଏକ ଘରିକିଆ କରି ରଖାଯାଇଥିଲା । ଏନେଇ ବାରମ୍ବାର ହୁମା ଫାଣ୍ଡିରେ ଅଭିଯୋଗ କରିବା ସତ୍ୱେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।
ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ ରାୟ ସୂଚନା ଦେଇ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।