ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଢ଼େଙ୍କାନାଳ ଜିଲ୍ଲା ସାରଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପରେ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇ ସଫଳ ହେଉଥିବା ଜାଣିବାକୁ ପାଇଲି, ଯାହା ଖୁସିର ବିଷୟ ।
ସେ ଏହି ଅବସରରେ କହିଛନ୍ତି ଯେ ଦେଶ ଆଜି ଅମୃତ କାଳରେ ଉପନୀତ ହୋଇଛି । ଏହି ଅମୃତ ବେଳାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବିଚାରଧାରା ଆପଣାଇବା ସହ ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲି ।
ସେ କହିଛନ୍ତି ଯେ ଜବାହର ନବୋଦୟ ବିଦ୍ୟାଳୟ ଗ୍ରାମାଂଚଳର ସାମାଜିକ ଓ ଆର୍ôଥକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ମେଧାବୀ ପିଲା ମାନଙ୍କୁ ଚୟନ କରି ସେମାନଙ୍କୁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି । ଏକବିଂଶ ଶତାବ୍ଦୀରେ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ଆମେ ସାମୂହିକ ସଂକଳ୍ପ ନେବା ବୋଲି ସେ କହିଛନ୍ତି ।