ପୁରୀ ରାମକୃଷ୍ଣ ମିଶନ ଆଶ୍ରମର ପୁରାତନ ଛାତ୍ରସଂଘର ପଞ୍ଚମ ଦ୍ବିବାର୍ଷିକ ସମ୍ମିଳନୀ ମେ ୧୪ ଓ ୧୫ ତାରିଖ ଦୁଇଦିନ ଧରି ମିଶନ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରସଂଘର ଉପ-ସଭାପତି ପ୍ରମୋଦ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ପୁରୀ ମିଶନ ଆଶ୍ରମର ପରିଚାଳନା ସଂପାଦକ ତଥା ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ସ୍ବାମୀ ଆପ୍ତେଶ୍ବରାନନ୍ଦ ମହାରାଜ ଦୀପ ପ୍ରଜ୍ଜ୍ୱଳନ ସହ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସଙ୍ଗେସଙ୍ଗେ ଆଶ୍ରମର ଅନ୍ତେବାସୀଙ୍କ ଦ୍ବାରା ଓଁକାର ନିନାଦସହ ବେଦମନ୍ତ୍ର ଗାନ କରାଯାଇଥିଲା। ଏଥିରେ ରାୟଗଡ଼ାସ୍ଥିତ ହାଟ ମୁନିଗୁଡ଼ା ଆଶ୍ରମର ପରିଚାଳନା ସଂପାଦକ ସ୍ଵାମୀ ଗୀତାତ୍ମାନନ୍ଦ ମହାରାଜ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପୁରାତନ ଛାତ୍ରସଂଘ ଗଠନର ତାତ୍ପର୍ଯ୍ୟ ଓ ଉପାଦେୟତା ସହ ୧୯୫୬ ମସିହାରୁ ପ୍ରତିଷ୍ଠିତ ଏହି ଐତିହାସିକ ଅନୁଷ୍ଠାନର ଗର୍ବ ଓ ଗୌରବର ଏକ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଠାକୁର ରାମକୃଷ୍ଣ ପରମହଂସଙ୍କର ପରମଶିଷ୍ୟ ସ୍ଵାମୀ ବିବେକାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସେବାମୂଳକ ଆଦର୍ଶ ଶିକ୍ଷାନୁଷ୍ଠାନର ଇତିବୃତ୍ତି ଉପସ୍ଥାପନ କରିଥିଲେ। ସ୍ଵାମୀ ଆପ୍ତେଶ୍ଵରାନନ୍ଦ ମହାରାଜ ତାଙ୍କର ବକ୍ତବ୍ୟରେ ପୁରାତନ ଛାତ୍ରସଂଘର କାର୍ଯ୍ୟଧାରା ଉପରେ ଗଭୀର ସନ୍ତୋଷ ପ୍ରକାଶ କରି ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସଂପାଦକ ଧନଞ୍ଜୟ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଛାତ୍ରସଂଘର ମୁଖପତ୍ର ‘ସ୍ମୃତି-ଦର୍ପଣ’ ମୁଖ୍ୟ ଅତିଥ ଉନ୍ମୋଚନ କରିବା ପରେ ମୁଖପତ୍ରର ସଂପାଦକ ଡ. ଭିକାରୀ ଚରଣ ରଥ ଏହାର ସମୀକ୍ଷା କରିଥିଲେ । ପୁରାତନ ଛାତ୍ରସଂଘର ବରିଷ୍ଠ ସଦସ୍ୟ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଇଞ୍ଜିନିୟର ବେଣୁଧର ବିଶ୍ବାଳ ସମ୍ମିଳନୀର ତାତ୍ପର୍ଯ୍ୟ ସହ ଏହାର ସାଂଗଠନିକ ଦୃଢ଼ତା ପାଇଁ ଛାତ୍ରମାନଙ୍କୁ ନିବଦେନ କରିଥିଲେ । ସଭାପତିଙ୍କ ଅଭିଭାଷଣ ମାଧ୍ୟମରେ ଶ୍ରୀଯୁକ୍ତ ମହାନ୍ତି ଏହି ପବିତ୍ର ଅନୁଷ୍ଠାନର ସେବା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସହସ୍ରାଧିକ ଛାତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ନିଜର କର୍ମନିପୁଣତା ପ୍ରତିପାଦନ କରିବାର କେତେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ପରିଶେଷରେ ସଂପାଦକ, ଅତିଥିବର୍ଗ ଓ ସମ୍ମିଳନୀର ସଫଳତା ଓ ଭାଗୀଦାର ପୁରାତନ ଛାତ୍ରମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାସଙ୍ଗ କରାଯାଇଥିଲା
ସଭାର ପ୍ରାରମ୍ଭରେ ନିକଟରେ ବିରବିଦାୟ ନେଇଥିବା ପୁରାତନ ଛାତ୍ର ମଧୁସୂଦନ ସାହୁ, ଦାକ୍ଷିନ କୁମାର ମାର୍ଶ୍ଵ ଓ ପ୍ରହଲ୍ଲାଦ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।