
ପୁରୀ, ବ୍ରହ୍ମଗିରି ରାସ୍ତାର ମଙ୍ଗଳାଘାଟ ଛକରୁ ବାସେଳି ସାହି ଥାନା ପୋଲିସ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ବାସେଳି ସାହି ଥାନାରେ ୧୧୩/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
କୌଣସି ସୂତ୍ରରୁ ଖବର ପାଇ ଏକ ମାରୁତି ଅଲ୍ଟୋ କାର୍ ନଂ ଓଆର ୦୨ଜେଡ-୯୮୫୫ ରୁ ୩ କେଜି ୧୯୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୨୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍, ଗୋଟିଏ ଟଙ୍କା ଗଣା ମେସିନକୁ ପୋଲିସ ଜବତ କରିଛି । ଗିରଫ ତିନି ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ କେଶରପୁର ଗ୍ରାମର ସୁଶାନ୍ତ ପଟ୍ଟନାୟକ (୨୨), ରାଜକିଶୋର ସାହୁ (୨୪) ଓ ମାନସ ସାହୁ (୨୭) । ପୋଲିସର ଏହି ସଫଳତା ସମ୍ପର୍କରେ ଆଜି ପୁରୀ ଏସପି କେ.ବିଶାଲ ସିଂହ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।