ବଲାଙ୍ଗିର, ଗତକାଲି ପୂର୍ବାହ୍ନରେ ବଲାଙ୍ଗିର ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ତୁଷୁରା ବାହାଲ ଗ୍ରାମରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରକ୍ରିୟା ଚାଲୁ ରହିଥିଲା ଏହା ସହିତ ପୁନର୍ବାସ ଏବଂ ଥଇଥାନ ସର୍ବେକ୍ଷଣ ମଧ୍ୟ ଚାଲୁ ରହିଥିଲା। ଏହା ଏକ ସ୍ଵାଧୀନ ସଂସ୍ଥା ମାଟ ଗ୍ଲୋବାଲ ସଲ୍ୟୁସନ୍ ମାଧ୍ୟମରେ କରାଯାଇଥିଲା। ଏହି ସଂସ୍ଥା ଦ୍ଵାରା ପ୍ରସ୍ତୁତ ଚିଠା ସର୍ବେକ୍ଷଣ ରିପୋର୍ଟ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ୨୬ ଏପ୍ରିଲ ୨୦୨୨ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତୁଷୁରା ବାହାଲ ଗ୍ରାମରେ ପ୍ରକାଶ କରାଯାଇଥିଲା। ଗତକାଲି ତୁଷୁରା ବାହାଲ ଗ୍ରାମରେ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଉକ୍ତ ଚିଠା ସମ୍ବନ୍ଧିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲାପାଳ ଚଞ୍ଚଲ୍ ରାଣା, ଅତିରିକ୍ତ ଜିଲାପାଳ ରାଜସ୍ଵ ତଥା ଲୋୟର ଶୁକତେଲ ପ୍ରକଳ୍ପର ପୁନର୍ବାସ ଥଇଥାନର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ଜଳ ସେଚନ ପ୍ରକଳ୍ପ ଭୂ ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ବଲାଙ୍ଗିର ତହସିଲଦାର ମେଘବାନ ବାଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୁଫାନ୍ ବାଗ, ପ୍ରକଳ୍ପର ଯୋନ୍ ଅଫିସର ନୂତନ ସେଠ, ସଙ୍କର୍ଷଣ ପଧାନ, ମନୋଜ କୁମାର ପାଣିଗ୍ରାହୀ ଓ ପ୍ରକଳ୍ପର ସମ୍ପୃକ୍ତ ଅଧିକାରୀ, ତୁଷୁରା ବାହାଲ ପଞ୍ଚାୟତର ସରପଞ୍ଚ ଦନାରଦନ ମହାପାତ୍ରଙ୍କ ସମେତ ତୁଷୁରା ବାହାଲ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏଠାରେ ଉପସ୍ଥିତ ଗ୍ରାମବାସୀ ମାନେ ନିଜର ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି, ପୁନର୍ବାସ ସମ୍ପର୍କିତ ବିଭିନ୍ନ ବିଷୟରେ ଜିଲ୍ଲାପାଳ ଓ ପ୍ରକଲ୍ପ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପିଡିଆର୍ ଆର୍ ଶ୍ରୀ ମହାପାତ୍ର ସ୍ଵତନ୍ତ୍ର ଭୂମି ଅର୍ଜନ ଅଧିକାରୀ ନାଗଭୂଷଣ ଓ ଅନ୍ୟ ଅଧିକାରୀ ମାନେ ସରପଞ୍ଚ ବିଭିନ୍ନ ତଥା ଗ୍ରାମବାସୀଙ୍କ ଦ୍ଵାରା ଉତଥାପିତ ବିଷୟରେ ସମସ୍ୟା ଗୁଡ଼ିକର ଉତ୍ତର ରଖିଥିଲେ ଓ ସମାଧାନ ସମ୍ପର୍କରେ ଗ୍ରାମବାସୀଙ୍କୁ ପ୍ରାଞ୍ଜଳ ଭବରେ ବୁଝାଇ ଥିଲେ। ତୁଷୁରା ବାହାଲ ଏକ ଆଂଶିକ ପ୍ରଭାବିତ ଗ୍ରାମ । ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ପ୍ରଦାନ ଅନ୍ୟ ବିଷୟରେ ଗ୍ରାମବାସୀଙ୍କ ଆପତ୍ତିର ଉତ୍ତର ପରେ ବଲାଙ୍ଗିର ଜିଲ୍ଲା ପାଇଁ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ଏହାଦ୍ଵାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରକାଶ କରିବାସହ ଏହି ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରୁଥିବାରୁ ସାଧୁବାଦ ଜଣାଇବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ। ସର୍ଭେରେ କୌଣସି ସମସ୍ୟା ଥିଲେ ସେଗୁଡିକ ତର୍ଜମା କରାଯାଇ ଉପଯୁକ୍ତ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ପ୍ରଭାବିତ ପରିବାର ଯେପରି ବିଶେଷ ଭାବେ ଉପକୃତ ହୋଇପାରିବେ ସେଥିପ୍ରତି ମଧ୍ଯ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ। ଏ ଦିଗରେ ସମ୍ପୂର୍ଣ୍ଣ ସ୍ଵଚ୍ଛତା ଅବଲମ୍ବନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଗ୍ରାମର ଆନୁସାଙ୍ଗୀକ ବିକାଶ ପାଇଁ ମଧ୍ଯ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। ପ୍ରକଳ୍ପ ଅନ୍ତର୍ଗତ ଗ୍ରାମ ଗୁଡିକର ଗ୍ରାମବାସୀଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣାଣି କରାଯାଇଛି। ଶେଷରେ ଗ୍ରାମବାସୀ ପକ୍ଷରୁ ସରପଞ୍ଚ ଶ୍ରି ମହାପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।