ବଲାଙ୍ଗୀର, ଆଜିଠାରୁ ହରିଶଙ୍କର ମେଳା ଆରମ୍ଭ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚି ଯାଇଛି । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦେବୋତ୍ତର ବିଭାଗ ଓ ପ୍ରଶାସନ ତରଫରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ହରିଶଙ୍କର ମନ୍ଦିରର ରଙ୍ଗ କରାଯାଇଥିବା ବେଳେ ଗାଢ଼ ହଳଦିଆ ରଙ୍ଗ ଲଗାଯାଇ ଥିବାରୁ ପରିବେଶଟି ସୁନ୍ଦର ଲାଗୁଛି । ସେହିପରି ମନ୍ଦିର ଚାରିପାଖ ରଙ୍ଗ କରାଯାଇଥିବା ବେଳେ ବାଡ଼ରେ ରଙ୍ଗକରି ମନ୍ଦିର କଥାବସ୍ତୁ, କିମ୍ବଦନ୍ତୀ, ପୁରାଣ ତଥା ଠାକୁର ମାନଙ୍କ ଫଟୋ ଅଙ୍କାଯାଇଛି । ଚଳିତ ବର୍ଷ ଶନିବାର ଠାରୁ ସୋମବାର ଯାଏ ତିନି ଦିନ ଧରି ମେଳା ତଥା ହରିଶଙ୍କର ମହୋତ୍ସବ ହେବାକୁ ଥିବାବେଳେ ପ୍ରଥମ ଦିନ ମନ୍ଦିର ପରିସରରେ ହୋମଯଜ୍ଞ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ । ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ହେବାସହ, ମିନବଜାର ଲାଗିବା ମେଳା ପରିଚାଳନା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ କମିଟି ଗଠନ କରି ଦାୟିତ୍ଵ ବଣ୍ଟନ କରାଯାଇଛି । ମେଳାର ପ୍ରସ୍ତୁତି ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଟଣାଗଡ଼ ଉପଜିଲ୍ଲାପାଳ ଡ ବିଜୟା ନନ୍ଦ ସେଠୀଙ୍କ ନେତୃତ୍ଵରେ ଚାଲିଥିବା ବେଳେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଏଏ ଇ ସୋମ୍ୟକିଶୋର ଜୟପୁରିଆ, ପରିଚାଳନା କମିଟି, ମନ୍ଦିର ପରିଚାଳନା ସବ କମିଟି, ଥାନା ଅଧିକାରୀ ରାମକାନ୍ତ ସାହୁ, ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲ, ମନ୍ଦିର ପରିଚାଳକ ସହ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତତ୍ପର ରହିଛନ୍ତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପାଟଣାଗଡ଼ ଉପଜିଲ୍ଲାପାଳ ଡ. ସେଠୀ ପ୍ରକାଶ କରିଛନ୍ତି।
Related Stories
November 23, 2024