ଛତ୍ରପୁର, ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲାବାସୀ ଯୋଗଦାନ ପୂର୍ବକ ମା’ଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।
ଆଦିଶକ୍ତି ମା ତାରାତାରିଣୀ ଯୁଗ୍ମ ରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ, ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ । ବିମଳା, ପାଦଖଣ୍ଡ, ସ୍ତନଖଣ୍ଡ, ତାରାତାରିଣୀ,କାମାକ୍ଷା,ୟୋନୀଖଣ୍ଡ, ମୁଖଖଣ୍ଡ କାଳିକାଃ । ଏହି ପୂରାଣ ଚରିତ ଠାକୁରାଣୀ ଦକ୍ଷ ଯଜ୍ଞ ବିନାସିନୀ ଶକ୍ତି ଶରୀରର ଅଙ୍ଗ ବିଶେଷ, ଯାହାକି ରତ୍ନଗିରି ପାହାଡ଼ରେ ପୂଜା ପାଇ ଆସୁଛନ୍ତି । ଦୁର୍ଗମ ପାହାଡ, ଘନ ଜଙ୍ଗଲଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଓ ଦୁଶ୍ଚର ଥିଲେ ଆଜି କିନ୍ତୁ ତାହା ଯୁଗର ବିବର୍ତନବାଦରେ ପରିବର୍ତନ ଘଟିଛି ।
ଓଡିଶା ସରକାରଙ୍କ ପ୍ରଦତ ଅନୁଦାନ ରାଶିରେ ମହାର୍ଦ୍ଦ ବଉଳମାଳିଆ ପଥର ଦ୍ୱାରା ନବନିର୍ମିତ ପଂଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜାପାଇ ଆସୁଛନ୍ତି, ଯିଏକି ଭକ୍ତଙ୍କ ଅତି ନିକଟତର ହୋଇ ଅଛନ୍ତି । ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆଗାମୀ ଜ୍ୟେଷ୍ଠ କୃଷ୍ଣ ପଂଚମୀ ତିଥି ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।