ବଲାଙ୍ଗିର, ସହରର ପ୍ରଖ୍ୟାତ ଜ୍ୟୋତିର୍ବିଦ ତଥା ଆଦର୍ଶ ଶିକ୍ଷକ ଅମରେନ୍ଦ୍ର ମିଶ୍ର ଆଉ ନାହାନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା୧୫ ସମୟରେ ତାଙ୍କର ଦେହାନ୍ତ ଘଟିଛି । ଚାରି ବର୍ଷ ତଳେ ମସ୍ତିଷ୍କ ଘାତ ହେବା ପରେ ସେ ନିଜ ଠିକାଦାର ପଡା ଘରେ ରହି ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଶେଷ ସମୟରେ ସହଧାର୍ମିଣୀ ଜନକ, ପୁତ୍ର ସ୍ମାରକ, ପୁତ୍ରବଧୁ ଯସ୍ମୀନୀ, ଭାଇ ଡାକ୍ତର ସୁଜ୍ଞାନେନ୍ଦ୍ର, ସୁଧୀର, ଶୈଳେନ୍ଦ୍ର ଓ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ଅନ୍ତେଷ୍ଟି କ୍ରିୟା ବିଭୁତି ପଡା ସ୍ଥିତ ସ୍ଵର୍ଗଦ୍ଵାର ଠାରେ କରାଯାଇଥିବା ବେଳେ ପୁତ୍ର ସ୍ମାରକ ମୁଖାଗ୍ନି ଦେଇଥିଲେ ।
ସ୍ବର୍ଗତ ଅମରେନ୍ଦ୍ର ମିଶ୍ର ତରଭା ବ୍ଲକ ସରଗଜ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ନିଜସ୍ଵ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ସେ ନିଜ ଗ୍ରାମ ସରଗଜ ହାଇ ସ୍କୁଲ୍ ରେ ବିଜ୍ଞାନ ଶିକ୍ଷକ ହୋଇ ପାରିଥିଲେ । ପରେ ବଲାଙ୍ଗୀର ପି ପି ଏକାଡେ଼ମୀ ସ୍କୁଲରେ ଦୀର୍ଘ ସମୟର ଶିକ୍ଷକତା ପରେ ପ୍ରଧାନ ଶିକ୍ଷକ ହୋଇ ଶିକ୍ଷକତା ଜୀବନର ଅନ୍ତ କରିଥିଲେ । ସ୍କୁଲର ଉନ୍ନତି ପାଇଁ ତାଙ୍କର ପ୍ରଚେଷ୍ଟା ତାଙ୍କ ପାଇଁ ବିଭିନ୍ନ ସରକାରୀ ସମ୍ମାନ ଆଣି ଦେଇଥିଲା । ଚାକିରୀ ପରବର୍ତ୍ତୀ ଜୀବନରେ ସେ ଆଖପାଖ ଅଞ୍ଚଳର ଏକ ପ୍ରଖ୍ୟାତ ଜ୍ୟୋତିର୍ବିଦ ହୋଇ ପରିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ଏଭଳି ଜଣେ ବ୍ୟକ୍ତିଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷ ଦର୍ଶନ ଲାଗି ତାଙ୍କ ଠିକାଦାରପଡା ବାସ ଭବନରେ ଓ ବିଭୂତି ପଡା ଶ୍ମସାନରେ ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହୋଇଥିଲା।