ମାଲକାନଗିରି, ଚିତ୍ରକୋଣ୍ଡା ଟେମ୍ପରାରି କଲୋନି ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚିତ୍ରକୋଣ୍ଡା ବ୍ଳକ ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିତ୍ରକୋଣ୍ଡା ବ୍ଳକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ତତ୍ଵାବଧାନରେ ଆୟୋଜିତ ବୈଠକରେ ବ୍ଲକ୍ର୧୪ଟି କ୍ଲଷ୍ଟରର ଆଞ୍ଚଳିକ ସାଧନ ସଂଯୋଜକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲୁ ଯୋଗଦେଇ ଚିତ୍ରକୋଣ୍ଡା ବ୍ଲକ୍ ତଥା ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ଅଗ୍ରଗତି ସହ ବିକାଶ ନିମନ୍ତେ ଗୁରୁତ୍ବାରୋପ କରିଥିଲେ । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରୀ ଚିତ୍ରକୋଣ୍ଡା ବ୍ଳକ ଅଧୀନରେ ଥିବା ୧୮ ଟି ପଞ୍ଚାୟତ ସ୍ତରୀୟ ଷ୍ଟାଣ୍ଡିଂ ଶିକ୍ଷା କମିଟି ଗଠନ ନିମନ୍ତେ ଓଡ଼ିଶାସରକାରଙ୍କ ଗାଇଡ୍ ଲାଇନ୍ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଚିଠି ସଂଖ୍ୟା ୯୧ ୫ ୩ /୨ ୧ ତାରିଖ ୨ ୮ /୯ /୨ ୧ ସଂପର୍କରେ ଅବଗତ କରାଇ ତାଲିମ ପ୍ରଦାନ କରାଯାଇଥିଲା । ମୌଳିକ ସାକ୍ଷରତା ଓ ଗାଣିତିକ ସଂଖ୍ୟା ଗଣନା, ଛାତ୍ରଛାତ୍ରୀଙ୍କ ସ୍କୁଲ ପ୍ରବେଶ, ମଧ୍ୟାହ୍ନ ଭୋଜନ, ଶିକ୍ଷକଙ୍କ ନିୟମିତ ବିଦ୍ୟାଳୟରେ ଉପସ୍ଥାନ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଗଣିତ ପାଠକ୍ରମର ପୁନରାବୃତ୍ତି, ବାଲ୍ୟବିବାହ ବନ୍ଦ କରିବା , ଆଶୀର୍ବାଦ ଯୋଜନା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ପ୍ରବେଶ ଉପରେ ଚର୍ଚ୍ଚା କରାଯାଇ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ ବିଷୟରେ ଆଲୋଚନା କରାଯାଇଥିଲା।
ଏମ ଆଇ ଏସ ନୀଳ ମାଧବ ପାତ୍ର ଶିକ୍ଷକ ପ୍ରୋଫାଇଲ ସମ୍ପର୍କରେ ଆଲୋଚନା କରିଥିବା ବେଳେ କୋଷାଧ୍ଯକ୍ଷ ହରିଶ୍ଚନ୍ଦ୍ର ଗୌଡ଼ ଉପସ୍ଥିତ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ସରକାରୀ ଅନୁଦାନର ସଠିକ ବିନିଯୋଗ ବିଷୟରେ ବୁଝାଇଥିଲେ। ଟେମ୍ପରାରି କଲୋନୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସେଠି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।