ଭୁବନେଶ୍ୱର, ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଦଶମ ଶ୍ରେଣୀ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ । ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଯୋଗଦେବେ ।
ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି । ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟ କରାଯିବ ।୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ ।
ସୂଚନାଯୋଗ୍ୟ, ଏପ୍ରିଲ ୨୯ ତାରିଖରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ମୋଟ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବାର ଦେଖାଯାଇଥିଲା ।