-
ପରିବାର ପାଇଁ ସହାୟତା ଘୋଷଣା
-
ସୁରଜଙ୍କ ନାମରେ ବାର୍ଷିକ ପୁରସ୍କାର ଦିଆଯିବ
ଭୁବନେଶ୍ୱର – ଦୁର୍ଘଟଣାରେ ମୃତ ପୁଅ ସୁରଜର ଅଙ୍ଗଦାନ କରିଥିବା ଗଂଜାମ ଜିଲ୍ଲା ଭଂଜନଗର ଲାଲସିଂ ଅଂଚଳର ପିତା ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ମହାନ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିବା ସହିତ ଏହା ସାରା ସମାଜ ଏକ ଆଦର୍ଶ ହେବା ସହିତ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ହେବ ବୋଲି କହିଥିଲେ ।
ଏହି ଅବସରରେ ସୁରଜଙ୍କ ପରିବାରକୁ ଏକ ଘରଡିହ ଜାଗା ସହିତ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ଭଳି ମହତ୍ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ଏ ଦିଗରେ ଭଲ କାର୍ଯ୍ୟ କରୁଥିବା ଅନୁÂାନ ମାନଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ସୁରଜଙ୍କ ନାମରେ ବାର୍ଷିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସୁରଜଙ୍କ ପିତାମାତାଙ୍କର ଏକ ଅତ୍ୟନ୍ତ ବିରଳ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ ଲାଲସିଂ ଅଂଚଳର ବାବୁଲି ସେଠୀଙ୍କ ପୁଅ ସୁରଜ ସୁରଟରେ କାର୍ଯ୍ୟ କରୁଥିଲେ । ଗତ ଅକ୍ଟୋବର ୨୯ ତାରିଖ ଦିନ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ସୁରଜ ଚିକିତ୍ସିତ ହେଉଥିଲେ । ହସପିଟାଲରେ ୫-୬ ଦିନ ଜୀବନ ସହିତ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖ ଦିନ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ସ୍ଥାନୀୟ ଏନଜିଓ ସହାୟତାରେ ସୁରଜର ପିତାମାତାଙ୍କୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କ ଅନୁମତି କ୍ରମେ ସୁରଜଙ୍କ ଶରୀରରୁ ହୃତପିଣ୍ଡ, ଦୁଇ କିଡନୀ, ଲିଭର ଓ ଦୁଇ ଆଖିକୁ ତୁରନ୍ତ କଢାଯାଇ ବିଭିନ୍ନ ସ୍ଥାନରେ ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି ।
ହୃତପିଣ୍ଡକୁ ତୁରନ୍ତ ବିମାନ ଯୋଗେ ମୁମ୍ବାଇସ୍ଥିତ ଫର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦୁଇଟିଯାକ କିଡନୀ ଓ ଲିଭରକୁ ଅହମ୍ମଦାବାଦରେ ୩ଜଣଙ୍କ ଶରୀରରେ ଏବଂ ଦୁଇ ଆଖିକୁ ସୁରତର ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।
ସୁରଜଙ୍କ ପିତାମାତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ ।