
ନୂଆଦିଲ୍ଲୀ, ଆଇଭରି କୋଷ୍ଟ ଠାରେ ମରୁଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ଜାତୀୟ ସମ୍ମିଳନୀ (ୟୁଏନସିସିଡି)ର ପକ୍ଷମାନଙ୍କର ୧୫ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଭାରତ ପକ୍ଷରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ରାଷ୍ଟ୍ରୀୟ ବିବୃତ୍ତି ପ୍ରଦାନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ବିଶ୍ବସ୍ତରରେ କେତେକ ନବୀକୃତ ତଥା ଦୃଢ଼ ପ୍ରୟାସ କାରଣରୁ ୟୁଏନସିସିଡି ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା ମିଳିପାରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ପରିତନ୍ତ୍ର (ଇକୋସିଷ୍ଟମ) ସଂରକ୍ଷଣ ଉପରେ ମିଳିତ ଜାତିସଂଘ ଦଶନ୍ଧି କାର୍ଯ୍ୟକ୍ରମ (୨୦୨୧-୨୦୩୦)ର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଏହାର ଲକ୍ଷ୍ୟ ହେଉଛି ପରିବେଶ ଅବକ୍ଷୟ ଓ ହାନିକୁ ବାଧିତ କରିବା ସହିତ ଏହାର ପୁନରୁଦ୍ଧାର କରିବା । ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିର ଲାଭ ପାଇଁ ଭୂମିର ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଏଥିପାଇଁ ଚଳିତ ସିଓପିରେ ସମୟୋଚିତ ସଂକଳ୍ପ ନିଆଯାଇଛି ।
ବିଭିନ୍ନ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭୂମି ଏକ ମୌଳିକ ଏବଂ ବ୍ୟାପକ ଭୂମିକା ନିର୍ବାହ କରିଥାଏ ବୋଲି ସେ ଜୋର ଦେଇ କହିଥିଲେ । ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଜରିଆରେ ବନୀକରଣ, ମୃତ୍ତିକା ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ କୃଷି ଉତ୍ପାଦନକୁ ତ୍ବରାନ୍ବିତ କରାଯାଇପାରିବ । ଭୂମି ସଂରକ୍ଷଣ ଏକ ପ୍ରାମାଣିକ ରଣନୀତି ଏବଂ ଏହା ଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ, ଗ୍ରାମୀଣ ସମୁଦାୟଙ୍କ ଉନ୍ନତି ହୋଇପାରିବ ତଥା ଏଥିରୁ ମାନବ ସ୍ବାସ୍ଥ୍ୟ, ଜୈବ ବିବିଧତା ଏବଂ ଜଳବାୟୁ ପରିବର୍ତ୍ତନ ସହନଶୀଳତାରେ ଲାଭ ମିଳିପାରିବ ।
ଶ୍ରୀ ଯାଦବ କହିଥିଲେ ଯେ, ପ୍ରାକୃତିକ ସମ୍ବଳ ପରିଚାଳନା, କାର୍ଯ୍ୟକ୍ରମରେ ସରକାରୀ ଅର୍ଥ ପ୍ରବାହ ସୁନିଶ୍ଚିତ କରିବା ଜରୁରି ଏବଂ ଆବଶ୍ୟକ ସହାୟତା ବ୍ୟବସ୍ଥା କାର୍ଯ୍ୟକାରୀ କରାନଗଲେ କାର୍ଯ୍ୟକ୍ରମଗୁଡ଼ିକ ସଫଳ ହୋଇପାରିବ ନାହିଁ ।
ବିଭିନ୍ନ ରାଷ୍ଟ୍ରର ବିଶ୍ବ ସଂଖ୍ୟାଲଘୁ ଲୋକମାନଙ୍କ ଉଚ୍ଚ ଉପଭୋଗ ଆଧାରିତ ଜୀବନଶୈଳୀ ଦ୍ବାରା ସୃଷ୍ଟି ହେଉଥିବା ଅପବ୍ୟୟୀ ନିର୍ଗମନ ସହିତ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ମରୁଭୂମିକରଣ ଜଡ଼ିତ । ଏହାକୁ ତୁରନ୍ତ ହ୍ରାସ କରିବା ଉପରେ ଏହି ତିନୋଟି ସମ୍ମିଳନୀ ସଂକଳ୍ପର ସଫଳତା ନିର୍ଭରଶୀଳ ।