ବଲାଙ୍ଗିର, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବ ନିର୍ବାଚିତ ସରପଞ୍ଚ ମାନେ ବିଭିନ୍ନ ସମୟରେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ଚର୍ଚ୍ଚାରେ ରହିଥିଲେ। ଅନେକ ସରପଞ୍ଚ ନିର୍ବାଚନ ସମୟରେ ଇସ୍ତାହାର ବି ଦେଇଥିଲେ ଯେ କ୍ଷମତା ବା ପଦବୀକୁ ଆସିଲେ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବେ। ନିର୍ବାଚନ ପରେ କେତେକ ସରପଞ୍ଚ ମଧ୍ୟ ରାସନ ସାମଗ୍ରୀ ବଣ୍ଟନକୁ ଜୋର ଦେଇ ପଂଚାୟତ କାର୍ଯ୍ୟାଳୟରେ ରାସନ ସାମଗ୍ରୀ ବିତରଣ ନ କରି ଗାଁ କୁ ଗାଁ, ପଡା କୁ ପଡା, ଏମିତିକି ଘର ଘର ବୁଲି ହିତାଧିକାରୀ ମାନଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଶଂସା ସାଉଁଟିବାରେ ସତେ ଯେମିତି ପ୍ରତିଯୋଗିତା ଲାଗି ରହିଥିଲା। ହେଲେ ଏବେ ଏସବୁ ଉପରେ ଏକ ପ୍ରକାର ଅଙ୍କୁଶ ଲାଗିଛି। ପ୍ରତିବନ୍ଧକ ଲାଗିଛି। ଏଣିକି ଆଉ ସରପଞ୍ଚ ମାନେ ରାସନ ସାମଗ୍ରୀ ବିତରଣରେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏମିତିକି ରାସନ ସାମଗ୍ରୀ ବଣ୍ଟନରେ ମଧ୍ୟ ଜଡିତ ହୋଇପାରିବେ ନାହିଁ। ଏମିତି ଏକ ଚରମବାଣୀ ଦେଇ ଟିଟିଲାଗଡ଼ ପଂଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୧୨୪୩ ତାରିଖ ୦୯.୦୫.୨୦୨୨ ରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି।
ଉକ୍ତ ପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ସରପଞ୍ଚ ମାନେ ରାସନ ସାମଗ୍ରୀ ବିତରଣରେ ଲିପ୍ତ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ। ପୂର୍ବରୁ ସରପଞ୍ଚ ମାନଙ୍କୁ ବିଭିନ୍ନ ପେନସନ ଯୋଜନାରୁ ଦୂରେଇ ରଖା ଯାଇଥିବା ବେଳେ ପଞ୍ଚାୟତରେ କାହାକୁ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା ସମେତ ଅନେକ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। କେଉଁ ମାନେ ପେନସନ ପାଉଛନ୍ତି ସେ ସବୁ କାର୍ଯ୍ୟକ୍ରମରୁ ସରପଞ୍ଚ ମାନଙ୍କୁ ଦୂରେଇ ରଖୁଥିବା ବେଳେ ପରବର୍ତ୍ତୀ ସମୟରେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରୁ ସରପଞ୍ଚ ମାନଙ୍କ ଭୂମିକାକୁ ଗୌଣ କରାଯାଇଥିବା ଅଭିଯୋଗ ଉଠିଥିଲା। ପଞ୍ଚାୟତରେ କିଏ ପକ୍କାଘର ଯୋଜନାରେ ସାମିଲ ହେବେ ତାହା ପଞ୍ଚାୟତର ଗାଁ ସାଥୀ ଠୁ ନେଇ ଗ୍ରାମ ସେବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତି ହୋଇପାରିବେ ଅଥଚ ଜନତାଙ୍କ ଦ୍ଵାରା ନିର୍ବାଚିତ ହୋଇ ଆସିଥିବା ଜନପ୍ରତିନିଧି ସରପଞ୍ଚଙ୍କୁ ଏହି ସମସ୍ତ ଯୋଜନାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା ନେଇ ଏକ ପ୍ରକାର କଟକଣା ରହିଥିବା ବେଳେ ଏବେ ରାସନ ସାମଗ୍ରୀ ବଣ୍ଟନରେ ବି ସରପଞ୍ଚ ମାନଙ୍କ ଉପରେ କଟକଣା ଲଗାଇବା ନେଇ ସରପଞ୍ଚ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତରେ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେଉ ବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ହେଉ ସମସ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ଭୂମିକା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ରହିବା କଥା ବୋଲି ଟିଟିଲାଗଡ଼ ସରପଞ୍ଚ ସଂଘ ସଭାପତି ବିରବର ସାହୁ କହିଛନ୍ତି। ଯଦି ସମସ୍ତ ଯୋଜନା ମାନଙ୍କରୁ ସରପଞ୍ଚ ମାନଙ୍କୁ ଦୂରେଇ ଦିଆଯାଏ ତା ହେଲେ ସରପଞ୍ଚ ପଦରେ ରହି କଣ କରିବେ ବୋଲି ପ୍ରଶ୍ନ କରିବା ସହ ଯଦି ପଞ୍ଚାୟତ ସମିତିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ପତ୍ରକୁ ପ୍ରତ୍ୟାହାର ନ କରନ୍ତି ତା ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବା ସହ ଏହାର ପରିଣାମ ବ୍ଲକ ପ୍ରଶାସନ ଭୋଗିବେ ବୋଲି ଚରମ ଚେତାବନୀ ଦେଇଛି ସରପଞ୍ଚ ସଂଘ। ପୂର୍ବର ଅନେକ ଯୋଜନାରୁ ସରପଞ୍ଚ ମାନଙ୍କୁ ଦୂରେଇ ରଖିବାରୁ ଅନେକ ପ୍ରକାର ଅରାଜକତା ସହ ହେରଫେର ହୋଇଥିଲା। ତେବେ ଦୁର୍ନୀତିକୁ ଜାଣିଶୁଣି ପଞ୍ଚାୟତ ସମିତି ପ୍ରଶୟ ଦେଉଥିବା ଅଭିଯୋଗ କରିବା ସହ ଏହାର ପୁନଃ ବିଚାର କରିବା ଏବଂ ସରପଞ୍ଚ ମାନଙ୍କୁ ପଞ୍ଚାୟତରେ କାର୍ଯ୍ୟ କରିବାର ସ୍ଵାଧୀନ କ୍ଷମତା ଦେବା ପାଇଁ ଦାବୀ ହୋଇଛି। ପଞ୍ଚାୟତ ମାନଙ୍କରେ କୌଣସି ଅଭାବ ଅସୁବିଧା ହେଲେ ଲୋକେ ସରପଞ୍ଚ ମାନଙ୍କ ପାଖକୁ ଆସି ଫେରାଦ ହେଉଛନ୍ତି, ଅଭିଯୋଗ କରୁଛନ୍ତି। ଏମିତି ସ୍ଥଳରେ ସରପଞ୍ଚ ମାନଙ୍କ ଉପରେ ଲକ୍ଷ୍ମଣ ରେଖା ଟାଣିବା ଅର୍ଥ ପଞ୍ଚାୟତ ମାନଙ୍କରେ ଅଫିସର ରାଜ ଚାଲିବା ଯାହାକୁ ତୀବ୍ର ନିନ୍ଦା କରିଛି ଟିଟିଲାଗଡ଼ ବ୍ଲକ ସରପଞ୍ଚ ସଂଘ। ସରପଞ୍ଚ ମାନଙ୍କୁ କୌଣସି ପ୍ରକାର କ୍ଷମତା ପ୍ରଦାନ କରାଯାଉନାହିଁ। କେବଳ ଜିଆରଏସ, ଇ.ଓ, ମାନେ ସର୍ବେସର୍ବା ପାଲଟିଥିବାରୁ ଆଜି ମନରେଗା ଯୋଜନା ମଧ୍ୟ ଅନେକ ସ୍ଥାନରେ ବାଟବଣା ହେବାରେ ଲାଗିଛି। ତେବେ ଏନେଇ ସରପଞ୍ଚ ସଂଘର ଏକ ପ୍ରତିନିଧି ମଣ୍ଡଳ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଦେଇଥିଲେ। ଏବଂ ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜାରି କରିଥିବା ପତ୍ରକୁ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବୀ କରିଛି। ପଞ୍ଚାୟତ ଗୁଡିକରେ ଯୋଗାଣ ସହାୟକ ମାନଙ୍କୁ ଆହୁରି ଦୁର୍ନୀତି କରିବା ତଥା ଦୁର୍ନୀତିରେ ଲିପ୍ତ ରହିବା ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ପ୍ରତି ପଞ୍ଚାୟତକୁ ଶହ ଶହ କୁଇଣ୍ଟାଲ ରାସନ ସାମଗ୍ରୀ ଆସୁଛି ଏବଂ ପ୍ରତି କୁଇଣ୍ଟାଲ ପିଛା ବସ୍ତା ଏବଂ ଅନ୍ୟାନ୍ୟ ବାବଦକୁ ପାଖାପାଖି ଶହେ ଟଙ୍କା ପଂଚାୟତକୁ ମିଳିଥାଏ। ରାସନ ସାମଗ୍ରୀ ବିତରଣ ପରେ ଯୋଗାଣ ସହାୟକ ସମସ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ସହ ପଂଚାୟତର ଅନେକ କାର୍ଯ୍ୟରେ ଉକ୍ତ ଅନୁଦାନ ଖର୍ଚ୍ଚ ହେବା କଥା। ସେହି ପାଣ୍ଠିରୁ ପଞ୍ଚାୟତର ୱାଚର କିମ୍ବା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଦରମା ବାବଦକୁ ଅର୍ଥ ଯୋଗାଇଦେବା କଥା। ହେଲେ ବ୍ଲକ ଯୋଗାଣ ଅଧିକାରୀ ଏବଂ ପଂଚାୟତ ଯୋଗାଣ ସହାୟକ ମିଶି ସମସ୍ତ ଟଙ୍କା ହେରଫେର କରୁଥିବା ବେଳେ ଯୋଗାଣ ସହାୟକ ମାନେ ମଧ୍ୟ ପଞ୍ଚାୟତ ରାସନ ବାବଦକୁ ଆସୁଥିବା ଅର୍ଥ ନିଜ ଘରେ ରଖି ନିଜ ଘରୋଇ ବ୍ୟାପାରରେ ବିନିଯୋଗ କରୁଥିବା ସରପଞ୍ଚ ସଂଘର ସଭାପତି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।
ଘଣ୍ଟବାହାଲି ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, ଗତ ଏକ ବର୍ଷର ଅନୁଦାନ ଯୋଗାଣ ସହାୟକ ଦେଇ ପାରୁ ନ ଥିବା ବେଳେ ଏକ ବର୍ଷ ଧରି ରାସନ ବାବଦକୁ ଟଙ୍କାଟିଏ ବି ବ୍ୟାଙ୍କରେ ଜମା କରି ନ ଥିବା ବିଷୟ ଟିଟିଲାଗଡ଼ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସାମ୍ନାକୁ ଆଣିଥିଲେ। ପଞ୍ଚାୟତର ଅର୍ଥକୁ ବ୍ୟାଙ୍କରେ ଜମା ନ କରି କିଭଳି ଭାବରେ ନିଜ ପାଖରେ ଜମା ରଖୁଛନ୍ତି ଏବଂ ବ୍ୟାଙ୍କ ଠାରୁ ପାଇବାକୁ ଥିବା ଲାଭାଂଶ ପଞ୍ଚାୟତ ହରାଉଥିବା ଅଭିଯୋଗ କରିଛନ୍ତି। କେବଳ ଘଣ୍ଟବାହାଳୀ ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତ ମାନଙ୍କରେ ଏବେ ନୂତନ ସରପଞ୍ଚ ମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ତଥା ରେକର୍ଡ ପତ୍ର ହସ୍ତାନ୍ତର ହୋଇନାହିଁ। ଅନେକ ସରପଞ୍ଚ ପଂଚାୟତରେ ଆୟ ବ୍ୟୟ ସମ୍ପର୍କିତ, ବିଭିନ୍ନ ପେନସନ, ଉନ୍ନୟନ ଯୋଜନା ସମ୍ପର୍କିତ ବିଲବୁକ ତଥା ରେଜିଷ୍ଟର ଦେବା ପାଇଁ କହି ଆସୁଥିଲେ ମଧ୍ୟ ଅନେକ ସ୍ଥାନରେ ନୂତନ ସରପଞ୍ଚ ମାନଙ୍କୁ ସମସ୍ତ ରେଜିଷ୍ଟର ମିଳି ପାରିନାହିଁ। ଏମିତି ସ୍ଥଳେ ସରପଞ୍ଚ ମାନଙ୍କ ଉପରେ କଟକଣା ଜାହିର କରି ବ୍ଲକ ଯୋଗାଣ ଅଧିକାରୀ ଏବଂ ପଞ୍ଚାୟତ ଯୋଗାଣ ସହାୟକ ମାନଙ୍କୁ ପରୋକ୍ଷରେ ସମର୍ଥନ ଦେବା ପଛରେ ଟିଟିଲାଗଡ଼ ବିଡ଼ିଓଙ୍କ କେଉଁ ସ୍ଵାର୍ଥ ସାଧନ ହେଉଛି ବୋଲି ସରପଞ୍ଚ ସଂଘ ପ୍ରଶ୍ନ କରିଛି। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସଂଘ ସମ୍ପାଦକ ନରେଶ ଅଗ୍ରୱାଲ, ପୁଷ୍ପା ମହନନ୍ଦ, ଯମୁନା ମହାନନ୍ଦ, ଗୋପାଳ ତାଣ୍ଡି, ମିଲି ସାହୁ, ଜ୍ୟୋସ୍ନା ସାହୁ, ହୃଷିକେଶ ବାଗ, ଯୁଗଳ କିଶୋର ସାହୁ, ଯାଜ୍ଞସେନୀ ସାହୁ, ବୈଦେହୀ ମହାନନ୍ଦ, ଚିନ୍ତାମଣି ସୁନା, ହରିହର କଟା, ପୃଥ୍ଵୀରାଜ ଚିନାଗୁନ, ରୁପଧର ଘିବେଲା, ସରପଞ୍ଚଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ବିକାଶ ପାଣିଗ୍ରାହୀ, ନିମାଇଁ ବେହେରା, କୃଷ୍ଣ ହାତୀଙ୍କ ସମେତ ଅନେକ ସରପଞ୍ଚ ଏବଂ ସେମାନଙ୍କ ପ୍ରତିନିଧି ସାମିଲ ଥିଲେ।