
-
୫୭ ଆସନ ପାଇଁ ଜୁନ୍ ୧୦ରେ ଭୋଟିଂ
-
ଓଡିଶାର ୩ ଆସନ ପାଇଁ ହେବ ନିର୍ବାଚନ
ନୂଆଦିଲ୍ଲୀ /ଭୁବନେଶ୍ୱର, ରାଜ୍ୟସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ରାଜ୍ୟସଭାରେ ଖାଲି ହେବାକୁ ଯାଉଥିବା ମୋଟ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ । ଏହି କ୍ରମରେ ଓଡିଶାଖରୁ ଖାଲି ହେବାକୁ ଯାଉଥିବା ୩ ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ଭୋଟିଂ ହେବ । ଓଡିଶାର ସାଂସଦ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ ତାରିଖରେ ଶେଷ ହେବାକୁ ଯାଉଛି । ଏସମ୍ପର୍କରେ ଗୁରୁବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ଦେଶର ୧୫ଟି ରାଜ୍ୟର ୫୭ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ୨୧-୬-୨୦୨୨ରୁ ୧-୮-୨୦୨୨ ମଧ୍ୟରେ ସରିବାକୁ ଯାଉଛି, ସେହି ସବୁ ଆସନ ପାଇଁ ଜୁନ୍ ୧୦ରେ ଭୋଟ ହେବ । ଏଥିପାଇଁ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ୩୧ ମେ’ ରହିଥିବା ବେଳେ ଜୁନ୍ ୧ରେ ନାମାଙ୍କନପତ୍ର ଯାଂଚ ହେବ ।
ନାମାଙ୍କନ ପ୍ରତ୍ୟାହ୍ୟାରର ଶେଷ ତାରିଖ ଜୁନ ୩ ଓ ଜୁନ୍ ୧୦ରେ ଭୋଟ ହେବ । ରାଜ୍ୟସଭା ଆସନଗୁଡ଼ିକ ପାଇଁ ଭୋଟଗ୍ରହଣ ସକାଳ ୯ଟାରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ସେହିଦିନ ସନ୍ଧ୍ୟା ୫ଟାରୁ ଗଣତି ଆରମ୍ଭ ହେବ । ଜୁନ୍ ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଉତର ପ୍ରଦେଶର ସର୍ବାଧିକ ୧୧ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ତାମିଲନାଡୁ ଓ ମହାରାଷ୍ଟ୍ରରେ ୬ଟି ଲେଖାଏ ରାଜ୍ୟସଭା ଆସନ ପାଇଁ ଭୋଟ ହେବ । ସେହିପରି ଆନ୍ଧ୍ର ପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଛତିଶଗଡ଼ର ୨ଟି, ମଧ୍ୟପ୍ରଦେଶର ୩ଟି, କର୍ଣ୍ଣାଟକର ୩ଟି, ଓଡ଼ିଶାର ୩ଟି, ପଞ୍ଜାବର ୨ଟି, ରାଜସ୍ଥାନର ୪ଟି, ଉତରାଖଣ୍ଡର ୧, ବିହାରର ୫, ଝାରଖଣ୍ଡର ୨ଟି ଓ ହରିଆଣାର ୨ଟି ଆସନ ଖାଲି ହେବାକୁ ଯାଉଛି ।