ଭୁବନେଶ୍ୱର, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଏଆଇଏସଏଫ୍ । ଏହି ମହାଦୁର୍ନୀତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଓ ଦଲାଲ୍ ମାନଙ୍କ ଉପରେ ସି.ବି.ଆଇ. ତଦନ୍ତ ଦାବିରେ ଆଜି (ବୁଧବାର)ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡି.ଏସ୍.ଇ. କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ବଂଚାଅ – ଓଡ଼ିଶା ବଂଚାଅ ଅଭିଯାନ ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହେବ ବୋଲି ଏ.ଆଇ.ଏସ୍.ଏଫ୍. ଆବାହକ ସଙ୍ଘମିତ୍ରା ଜେନା ସୂଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗତକାଲି ସଙ୍ଘମିତ୍ରା ଜେନା କହିଥିଲେ ତରବରିଆ ଭାବେ ନୋଟିଫିକେସନ୍ ଜାରି କରି ଓ.ଏସ୍ଏସ୍.ଟି.ଇ.ଟି. ଫଳ ପ୍ରକାଶ ପୂର୍ବରୁ ସି.ବି.ଟି ପରୀକ୍ଷା କରାଯାଇଛି । ସେହିପରି ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟଳୟ ଦ୍ୱାରା ଦଣ୍ଡିତ ହୋଇଥିବା ତଥା ଓ.ଏନ୍.ଜି.ସି. ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବା ଏକ ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା, ସେହି ସଂସ୍ଥାର ଦଲାଲ୍ମାନଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ କାରବାର ହେବା, ବୋର୍ଡ ପକ୍ଷରୁ ଜାରି ହୋଇଥିବା ଉତର ସିଟ୍ରେ ପର୍ଯ୍ୟାପ୍ତ ତ୍ରୁଟି ପରିଲକ୍ଷିତ ହେବା, ବୋର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପର୍କୀୟଙ୍କୁ ଏହି ପରୀକ୍ଷା ପରିଚାଳନା ଠିକାଦାରୀ ମିଳିବା ଇତ୍ୟାଦି ଘଟଣା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବାର ସନ୍ଦେହ ସୃଷ୍ଟି କରୁଛି ।
ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ପ୍ରତିଷ୍ଠାତା ସଭାପତି ଜୀବନ ବନ୍ଧୁ ଭୋଇ, ଓଡ଼ିଶା ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ ନେତା କାହ୍ନୁଚରଣ ପରିଡ଼ା, ଏ.ଆଇ.ଏସ୍.ଏଫ୍. ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ନିଖିଳ ଓଡ଼ିଶା ଡି.ଏଲ୍.ଇ.ଡି. ର ମଳୟ ପଣ୍ଡା, ନାରାୟଣ ବେହେରା, ସନ୍ତୋଷ ବରାଳ, ସାଶ୍ୱତ ପତି ପ୍ରମୁଖ ଉପସ୍ଥିତ ଥିଲେ ।