
ନୂଆଦିଲ୍ଲୀ, ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା । ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ । ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଦୃଢ଼ ମତବ୍ୟକ୍ତ କରି କହିଥିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ି ବଢ଼ି ଚାଲିଛି । ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଁଛନ୍ତି । ଶ୍ରୀ ଯାଦବ କହିଥିଲେ ଯେ, ‘‘ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ । ୟୁଜ୍ ଆଣ୍ଡ୍ ଥ୍ରୋ (ବ୍ୟବହାର କରି ଫିଙ୍ଗିଦିଅ) ମାନସିକତା ପରିତ୍ୟାଗ କରିବାକୁ ହେବ ।
ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଥିଲେ ଯେ ଉଭୟ ବିଶ୍ବବାସୀ ଏବଂ ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ । ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି ।