ସାଲେପୁର,ରାଜ୍ୟ ସରକାର ରାଜ୍ୟରେ ପ୍ଲାଷ୍ଟିକ୍ ନିଷିଦ୍ଧ କରିଥିଲା ବେଳେ ତାହା କେବଳ କାଗଜ କଲମରେ ବୋଲି ପ୍ରକୃତ କ୍ଷେତ୍ରରେ ଦେଖିବାକୁ ମିଳିଛି । ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଂଚଳରେ ପ୍ଲାଷ୍ଟିକ୍ ଜରୀ ପ୍ରସ୍ତୁତ କରାଯାଉଥିଲା ବେଳେ ଏହାର ବହୁଳ ବ୍ୟବହାର କରାଯାଉଛି, ଯାହାର ପ୍ରଭାବ ପଡୁଛି ପରିବେଶ ଉପରେ । ପୂର୍ବ ମାହାଙ୍ଗା ଅଂଚଳରେ ଥିବା ୮ ନଂ କେନାଲକୁ ଦେଖିଲେ ଜଣାପଡେ ସତେ ଯେପରି ୮ ନଂ କେନାଲ ନର୍ଦ୍ଦମା ନାଳ ପାଲଟିଛି । ଏହି କେନାଲର ଉଭୟ ପାଶ୍ୱର୍ରେ ବଜାରମାନ ରହିଥିବାରୁ ଏପରିକି ଦହିବରା ଆଳୁଦମ୍, ଜଳଖିଆ, ହେଟେଲ ଓ ଫାଷ୍ଟଫୁଡ ବେପାରୀମାନେ ନିଜର ଆବର୍ଜନାକୁ କେନାଲ ଭିତରକୁ ପକାଉଛନ୍ତି । ଅପରପକ୍ଷରେ ଦେଖିବାକୁ ମିଳିଛି କେନାଲର ଉଭୟ ପାଶ୍ୱର୍ରେ ଥିବା ବାସଗୃହର ଅବାର୍ଜନା ପାଣି ନଳା ବସାଯାଇ କେନାଲ ମଧ୍ୟକୁ ଛାଡି ଦିଆଯାଉଛି । ଗୋରୁଗୁହାଳର ଗୋବର ଓ ମୂତ୍ରକୁ କେନାଲ ପାଶ୍ୱର୍ରେ ଜମା କରାଯାଉଛି । ବିବାହ ବ୍ରତ ସମୟରେ ପ୍ଲାଷ୍ଟିକ୍ ଦନା, ପତ୍ର ଆଦିକୁ କେନାଲ ମଧ୍ୟକୁ ଫିଙ୍ଗି ଦିଆଯାଉଛି । ଏପରିକି ମଦ ବୋତଲକୁ କେନାଲ ଭିତରକୁ ପକାଇବା ଦ୍ଵାରା କେନାଲ ଜଳ ପୂର୍ବପରି ଲୋକଙ୍କ କାର୍ଯ୍ୟରେ ଆସୁନାହିଁ । ଜଳ ଦୂଷିତ ହେବା ଯୋଗୁ ଏହା ଫସଲ ଉପରେ ପ୍ରଭାବ ପକାଉଛି । କେନାଲରେ ପ୍ଲାଷ୍ଟିକ ଜରୀ ଓ ଆବର୍ଜନା ଗଦା ହେବା ଦ୍ଵାରା ଅନେକ ସମୟରେ ଉତ୍କଟ ଗନ୍ଧ ସୃଷ୍ଟି ହେଉଛି । ଲୋକେ ଶିକ୍ଷିତ ଓ ସଭ୍ୟ ହୋଇଥିଲା ବେଳେ ନିଜର ଆଚରଣ ଯୋଗୁ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର କୌଣସି କଟକଣା ନାହିଁ । ଯାହାଫଳରେ ବର୍ତ୍ତମାନ କେନ୍ଦ୍ରାପଡା ଓ ଏହାର ଶାଖା କେନାଲଗୁଡିକ ଆବର୍ଜନା ପରିପୂର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ଏଣେ ପରିବେଶ ପ୍ରଦୂଷଣକୁ ନେଇ ସରକାର ଚିନ୍ତା କରୁଥିଲା ବେଳେ ତାହା କେବଳ ଭାଷଣ ବାଜିରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜନସାଧାରଣ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରଶାସନ ତୁରନ୍ତ ଆବର୍ଜନା ପକାଉଥିବା ବ୍ୟକ୍ତି ବିଶେଷ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Related Stories
November 22, 2024