-
ସରକାରଙ୍କ ଯୋଜନାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ
ସାଲେପୁର, ଦିନକୁ ଦିନ ଭୂତଳ ଜଳ କମି କମି ଯାଉଥିଲା ବେଳେ ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜନା ପଡି ପରିବେଶ ଦୂଷିତ ହେବାରେ ଲାଗିଛି । ପରିବେଶକୁ ସୁରକ୍ଷା କରିବା ଓ ଭୂତଳ ଜଳ ପତ୍ତନକୁ ବର୍ଦ୍ଧିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ଏହି ବ୍ଲକର ୪୧ ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁରେ କିପରି ଭାବେ ବୃଷ୍ଟି ଜଳ ସଂରକ୍ଷଣ କରାଯାଇ ଭୂତଳକୁ ଛଡାଯିବ ଏବଂ ବିଭିନ୍ନ ବର୍ଜ୍ୟବସ୍ତୁ ଓ ଅଳିଆ ଆବଜନାକୁ ଏକାଠି କରାଯାଇ ପରିବେଶକୁ ସ୍ଵଚ୍ଛ ରଖାଯିବ ସେନେଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ପୌରୋହିତ୍ୟରେ ଏହି ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, ଗ୍ରାମପଞ୍ଚାୟତର ଅଧିକାରୀ ଜନ୍ମେଜୟ ରାଉତ, ମନେରଗାର ବ୍ଲକ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସାଗରିକା ପରିଡା, ଗ୍ରାମ୍ୟ ପରିମଳ ବିଭାଗର ବ୍ଲକ ସଂଯୋଜକ ସୂର୍ଯ୍ୟକାନ୍ତ ଦାସ, ପ୍ରଦୀପ୍ତ ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଗ୍ରାମରୋଜଗାର ସେବକମାନେ ଯୋଗଦେଇଥିଲେ । ବୃଷ୍ଟିଜଳ ସଂରକ୍ଷଣ କେନ୍ଦ୍ର ନିମନ୍ତେ ୫୬ ହଜାର ଟଙ୍କା ଅନୁଦାନରେ ପ୍ରତ୍ୟେକ ପଞ୍ଚାୟତରେ ୫ ଟି ଲେଖାଏଁ ପ୍ରକଳ୍ପ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଥିଲା ବେଳେ ୧ ଲକ୍ଷ ୫୫ ହଜାର ଟଙ୍କା ଅନୁଦାନରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ସେଗ୍ରିଗେସନ୍ ସେଡ୍ ନିର୍ମାଣ କରାଯାଇ ସେଥିରେ ପୃଥକ୍ ପୃଥକ୍ ଭାବେ ଭଙ୍ଗା କାଚ ସାମଗ୍ରୀ, ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ରଖାଯିବ । ପ୍ରତ୍ୟେକ ନଳକୂଅ ନିକଟରେ ୫ ହଜାର ଟଙ୍କା ଅନୁଦାନରେ କମ୍ୟୁନିଟ୍ ସୋପିଟ୍ ଏବଂ ୩ ହଜାର ୫୦୦ ଟଙ୍କା ଅନୁଦାନରେ ପ୍ରତ୍ୟେକ ପଞ୍ଚାୟତରେ ୨୦୦ ଟି ବ୍ୟକ୍ତିଗତ ସୋପିଟ୍ ନିର୍ମାଣ ପାଇଁ ମଧ୍ୟ ସୁବିଧା କରାଯିବ । ଏହାଛଡା ବଡ ରାଜସ୍ଵ ଗ୍ରାମରେ ୫ ଟା ଓ ଛୋଟ ରାଜସ୍ଵ ଗ୍ରାମରେ ୩ ଟା ଲେଖାଏଁ ୨୦ ହଜାର ଟଙ୍କା ଅନୁଦାନରେ ଗୋଷ୍ଠୀ ବର୍ଜ୍ୟବସ୍ତୁ କେନ୍ଦ୍ର ପ୍ରକଳ୍ପ ନିର୍ମାଣ କରାଯାଇ ସେଥିରେ ସମସ୍ତ ଅଳିଆ ଆବର୍ଜନା ପକାଯିବା ପାଇଁ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଏହାଛଡା ମନରେଗା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅମୃତ ସରବର ଯୋଜନାରେ ଆଦର୍ଶ ପୋଖରୀ ଖୋଳାଯିବା ପାଇଁ ମଧ୍ୟ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ବ୍ଲକ ପ୍ରଶାସନ କେତେକଦୂର ସକ୍ଷମ ହେବେ ତାହା ସମୟ କହିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ଅପରପକ୍ଷରେ ନିଶ୍ଚିନ୍ତକୋଇଲି ବ୍ଲକରେ ଏନ୍ ଆରଇ ଜି ଏସ୍ କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ବହୁ ଦୁର୍ନିତି ହେଉଥିଲେ ମଧ୍ୟ ରାଜନୈତିକ ଚାପରେ ପ୍ରଶାସନିକ ଅଧିକାରୀମାନେ ଅଭିଯୋଗକୁ ଚାପି ଦେଉଥିବା ବହୁ ନଜିର ରହିଛି । ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମର ସ୍ଵଚ୍ଛତା ପାଇଁ ଜନସାଧାରଣମାନେ ଏହି ଯୋଜନାରେ ସାମିଲ ହେବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।