ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିବରଣୀରୁ ପ୍ରକାଶ, ଉକ୍ତ ବ୍ଲକ ଅଧିନସ୍ଥ ରାମକୃଷ୍ଣପୁର ଓସ୍ତପୁର ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ତିନୋଟି ଶ୍ରେଣୀ ବିଶିଷ୍ଟ ଉଚ୍ଚ ବିଦ୍ୟାଳୟ ଭାବେ କାର୍ଯ୍ୟ କରିଆସୁଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଅଷ୍ଟମ ଶ୍ରେଣୀକୁ ପ୍ରାୟ ସବୁ ଉଚ୍ଚ ବିଦ୍ୟାଳୟରୁ କାଢି ନିଆଗଲା । କାରଣ ପ୍ରାଥମିକ ଶିକ୍ଷା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କେବଳ ପ୍ରାଥମିକ ବିଦ୍ୟାଳୟର ଅଧ୍ୟୟନରତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁ ରହିଛି । ରାମକୃଷ୍ଣପୁର ଓସ୍ତପୁର ଉଚ୍ଚ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉଠିଯିବା ଫଳରେ ଉକ୍ତ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା । ସେଠାରେ ନିଯୁକ୍ତ ଥିବା ପାଚିକା ସହାୟିକା ଉର୍ମିଳା ରାଉତଙ୍କୁ ଚାକିରୀ ହରାଇବାକୁ ପଡିଲା କିନ୍ତୁ ଆଶ୍ଚର୍ଯ୍ୟର କଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦହେବା ପରେ ମଧ୍ୟ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତାଙ୍କ ସଂପର୍କରେ କୌଣସି ତଥ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନଦେବାରୁ ସଂପୃକ୍ତା ପାଚିକା ସହାୟିକାଙ୍କ ବ୍ୟାଙ୍କ ଜମାଖାତାକୁ ପୂର୍ବବତ୍ ମାସିକ ୧୪ ଶହ ଟଙ୍କା ପାରିତୋଷିକ ଅର୍ଥ ନିୟମିତ ଭାବରେ ଅଦ୍ୟାବଧି ଆସୁଅଛି । ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ନିଶ୍ଚିନ୍ତକୋଇଲି ବ୍ଳକ ଶିକ୍ଷା ପ୍ରଶାସନ ତତ୍ପର ହୋଇ ଉଠିଛି । ଯେନତେନ ପ୍ରକାରେ ଉକ୍ତ ମହିଳାଙ୍କୁ କୌଣସି ଏକ ବିଦ୍ୟାଳୟରେ ନିଯୁକ୍ତି କରାଇ ଘୋଟାଲା ଉପରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ହଟାଇବାକୁ ଉଦ୍ୟମ କରାଯାଉଛି । ଦୀର୍ଘ ଦିନ ତଳୁ ନିଜ ବ୍ଲକ ନିଶ୍ଚିନ୍ତକୋଇଲି ବ୍ଲକରେ ଆସ୍ଥାନ ଜମାଇ ରହିଥିବା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କ ନିଜ ଗାଁ ରାମକୃଷ୍ଣପୁର ନୋଡାଲ ବିଦ୍ୟାଳୟରେ ସଂପୃକ୍ତା ପାଚିକା ସହାୟିକାଙ୍କୁ ଭର୍ତ୍ତି କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ତଥା ନିଶ୍ଚିନ୍ତକୋଇଲି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପାର୍ବତୀ ନନ୍ଦ ମଧ୍ୟ ଅଡୁଆରେ ପଡିଛନ୍ତି । କୌଣସି ନିଯୁକ୍ତି ନ ପାଇ ସଂପୃକ୍ତା ପାଚିକାଙ୍କୁ ପାରିତୋଷିକ ଅର୍ଥ ପ୍ରଦାନ ପଛରେ କାହାର ହାତ ରହିଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ସ୍ଥାନୀୟ ଅଂଚଳବାସୀଙ୍କ ତରଫରୁ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କଠାରେ ଦୃଢ ଦାବି ହୋଇଛି ।
Related Stories
November 22, 2024