-
ଲୋୟର ଶୁକତେଲ ପ୍ରକଳ୍ପ ପାଇଁ ତ୍ଵରିତ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ରାଜସ୍ଵ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ଏନ୍ ଆଇ ସି ର ବରିଷ୍ଠ ଅଧିକାରୀ, ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ଵତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଜନସାଧାରଣଙ୍କୁ ଆଇନ ଅନୁଯାୟୀ, ଦାଖଲ ଖାରଜ ଓ ଘରବାଡି ପଟ୍ଟା ସେବା ତ୍ଵରିତ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଗଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୁରିବାହାଲ, କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା ତହସିଲଦାରଙ୍କୁ ସାତ ଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଲେ ।
ସେହିପରି ଟିଟିଲାଗଡ଼, ବଙ୍ଗମୁଣ୍ଡା ଓ ସଇଁତଲା ତହସିଲଦାରଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖ ମଧ୍ୟରେ ସମସ୍ତ ବେବନ୍ଦୋବସ୍ତ କେସ୍ ର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ୨୧୧ ଲଘୁ ଖଣିଜ ଉତ୍ସରୁ ମାତ୍ର ୧୨୮ ଲଘୁ ଖଣିଜ ଉତ୍ସ କାର୍ୟ୍ୟକ୍ଷମ ହେଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ସମାପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲୋଇସିଂହ, ଟିଟିଲାଗଡ ଓ ଦେଓଗାଁ ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସମ୍ପଦରୁ ରାଜସ୍ଵ ଆଦାୟ ଉପରେ ଗୁରୁତ୍ଵାରୋପ କରିବାକୁ ନିର୍ଦ୍ଦେଶ ଦିଆଗଲା । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହଦିଲଦାର ମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା । ତହସିଲଦାର ମାନଙ୍କୁ ପୋଲିସ ସହ ଭଲ ସମ୍ମନ୍ଵୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳ ସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଓ ଖୋର୍ଦ୍ଧା ରୋଡ୍ ବଲାଙ୍ଗିର ରେଳପଥ ନିମନ୍ତେ ତ୍ଵରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ମେ’ ୧୫ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ ବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କୁ ମେ’ ୧୫ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ତତ୍ଵାବଧାନରେ ଜମି ପଟ୍ଟା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୂତନ ରାଜସ୍ଵ ନିରୀକ୍ଷକ ମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନିର୍ମାଣ ଦିଗରେ ଜାଗା ଚିହ୍ନଟ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ଵାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ଵରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ଏହିପରି ଆଭାସୀ ରାଜସ୍ଵ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଜିଲ୍ଲା ସହ ଅନୁଷ୍ଠିତ ହେବ ।