
ଭୁବନେଶ୍ୱର,ପଦ୍ମଶ୍ରୀ ରଜତ କୁମାର କରଙ୍କର ଦେହାବସାନ ଖବର ପାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତା ଓ ସ୍ୱୟଂସେବକମାନେ ଅତ୍ୟନ୍ତ ମର୍ମାହତ । ତାଙ୍କର ତିରୋଧାନରେ ଦେଶ ତଥା ସାହିତ୍ୟ ଜଗତର ଏକ ଅପୁରଣୀୟ କ୍ଷତି ହେଲା ବୋଲି ସଂଘର ଓଡିଶା ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଓ ପୂର୍ବକ୍ଷେତ୍ରକାର୍ଯ୍ୟବାହ ଡ.ଗୋପାଳ ପ୍ରସାଦ ମହାପାତ୍ର ତାଙ୍କ ଶୋକ ବାର୍ତାରେ ଏହା ପ୍ରକାଶ କରିଛନ୍ତି ।
ସ୍ୱର୍ଗତ କର ଓଡିଶା ରାଜ୍ୟ ତଥା ଦେଶର ଜଣେ ମହାନ୍ ସାରସ୍ୱତ ସାଧକ ଥିଲେ । ସାହିତ୍ୟ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଗବେଷଣାତ୍ମକ ପ୍ରବନ୍ଧର କୌଣସି ପଟାନ୍ତର ନାହିଁ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ତାଙ୍କର ସଂପର୍କ ଅତ୍ୟନ୍ତ ମଧୁର ଓ ଘନିଷ୍ଠ ଥିଲା । ତାଙ୍କ ବିୟୋଗରେ ଆର୍.ଏସ୍. ଏସ୍. ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି ନିମିତ ପ୍ରାର୍ଥନା କରାଯାଇଛି । ଏବଂ ଏହି କଠିନ ସମୟରେ ତାଙ୍କର ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ ।