
-
ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ
-
କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି, କିନ୍ତୁ, ଏତିକିରେ ସନ୍ତୁଷ୍ଟ ହୋଇପାରୁନି – ପୀଡ଼ିତା
ଜଗତସିଂହପୁର, ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ମାଡ ମାମଲାର ବିଚାରଣା କରି ଆଜି ଏହାର ରାୟ ଶୁଣାଇଛନ୍ତି ଜଗତସିଂହପୁର ଏ.ଏସ.ଜେ. ମହିଳା କୋର୍ଟ । ମାମଲାରେ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥି ସହ ୧୫ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୦୦୯ ଅପ୍ରେଲ ୧୮ ତାରିଖରେ ତିର୍ତୋଲ ଥାନା ଅନ୍ତର୍ଗତ କନକପୁରର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା । ସେ କଲେଜକୁ ଯାଉଥିବା ସମୟରେ ତାଙ୍କ ଉପରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଏସିଡ୍ ମାଡ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ସନ୍ତୋଷ ପାରାମିଲିଟାରୀରେ ଚାକିରୀ କରୁଥିଲା । ସେ ଛୁଟିରେ ଘରକୁ ଆସିଥିବା ବେଳେ ଏହି କାଣ୍ଡ ଘଟାଇଥିଲା । ୨୦୧୭ ରେ ଉଭୟ ଅଭିଯୁକ୍ତ ଗିରଫ ହୋଇ ଜେଲ୍ ରେ ଅଛନ୍ତି । ଏହି ଘଟଣା ସେତେବେଳେ ତିର୍ତୋଲ, ଜଗତସିଂହପୁର ସମେତ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।
କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପୀଡ଼ିତା ପ୍ରମୋଦିନୀ ରାଉଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି । କିନ୍ତୁ, ଏତିକିରେ ସନ୍ତୁଷ୍ଟ ହୋଇପାରୁନି । ଏଭଳି ଲୋକ ସାରା ଜୀବନ ଜେଲ୍ ରେ ରହିବାର ଆବଶ୍ୟକତା ରହିଛି । ପ୍ରତି ମୁର୍ହୂର୍ତରେ ମୁଁ ଯନ୍ତ୍ରଣା ପାଉଛି, ତାକୁ ମଧ୍ୟ ସେମିତି ସଜା ମିଳିବା ଉଚିତ୍ । ତାକୁ ଆହୁରି କଠୋର ସଜା ହେଉ, ସେ ଆଜୀବନ ଜେଲ୍ ରେ ରହୁ । ଯାହାଦ୍ୱାରା କେହି ଏପରି ଜଘନ୍ୟ କାଣ୍ଡ ଘଟାଇବାକୁ ସାହାସ କରିବେନି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନର ଆବଶ୍ୟକତା ରହିଛି । ମୁଁ ଏନେଇ ଆଗାମୀ ଦିନରେ ହାଇକୋର୍ଟର ଦ୍ୱାରସ୍ଥ ହେବି ।