-
କମ୍ ଖର୍ଚ୍ଚରେ ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ଜନ ସୁରକ୍ଷା ସୁବିଧା ପହଂଚିପାରୁଛି : ଅର୍ଥ ମନ୍ତ୍ରୀ
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା (ଜନ ସୁରକ୍ଷା) ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି । ସପ୍ତମ ବର୍ଷ ପୂର୍ତି ସମାରୋହ ଅବସରରେ ଆସନ୍ତୁ ଜାଣିବା ଏସବୁ ଯୋଜନାର କେତେକ ବୈଶିଷ୍ଟ୍ୟ ସମ୍ପର୍କରେ ଯାହାକି ଦେଶର ସାଧାରଣ ନାଗରିକମାନଙ୍କୁ ସୁଲଭ ଦରରେ ବୀମା ଏବଂ ସୁରକ୍ଷା ପ୍ରଦାନ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ମେ, ୨୦୧୫ରେ ପଶ୍ଚିମବଙ୍ଗର କୋଲକାତା ଠାରେ ପିଏମଜେଜେବିୱାଇ, ପିଏମଏସବିୱାଇ ଏବଂ ଏପିୱାଇ ଯୋଜନାର ଶୁଭାରମ୍ଭ କରିଥିଲେ । ଉପରୋକ୍ତ ତିନୋଟି ସାମାଜିକ ସୁରକ୍ଷା ଯୋଜନା ଅପ୍ରାତ୍ୟାଶିତ ବିପତି/କ୍ଷତି ଏବଂ ଆର୍ôଥକ ଅନିଶ୍ଚିତତା ଠାରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ପୂରଣ କରିବା ସହିତ ନାଗରିକଙ୍କ କଲ୍ୟାଣ ପ୍ରତି ସମର୍ପିତ । ଦେଶର ଅସଂଗଠିତ କ୍ଷେତ୍ରର ଲୋକମାନଙ୍କର ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଦୁଇଟି ବୀମା ଯୋଜନା ଆରମ୍ଭ କରିଥିଲେ । ଏଥିସହିତ ବୃଦ୍ଧାବସ୍ଥାରେ ଆବଶ୍ୟକତାକୁ ପୂରଣ କରିବା ଲାଗି ଅଟଳ ପେନସନ ଯୋଜନା (ଏପିୱାଇ)ର ଶୁଭାରମ୍ଭ କରାଯାଇଥିଲା ।
ଯୋଜନାର ୭ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ,‘ଆର୍ôଥକ ଅନ୍ତର୍ଭୂକ୍ତିକରଣ ଆଧାରିତ ଜାତୀୟ ମିଶନ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ବୀମା ଏବଂ ପେନସନ ପରିସରକୁ ବିସ୍ତାରିତ କରିବା, ଯାହାଫଳରେ ସମାଜର ଗରିବ ଓ ଦୁର୍ବଳ ଲୋକମାନଙ୍କୁ ଶସ୍ତା ଉତ୍ପାଦ ମାଧ୍ୟମରେ ଅତ୍ୟଧିକ ଆବଶ୍ୟକ ଆର୍ôଥକ ସୁରକ୍ଷା ମିଳିପାରିବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆଜି ଅତି ଦରିଦ୍ର ଲୋକ ମଧ୍ୟ ପିଏମଜେଜେବିୱାଇ ଅଧୀନରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପାଇପାରୁଛନ୍ତି । ସେହିପରି ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପିଏମଏସବିୱାଇ ଅଧୀନରେ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିପାରୁଛି । ଦେଶର ୧୮ରୁ ୪୦ ବର୍ଷ ବୟସର ସବୁ ନାଗରିକ ମାସିକ ସର୍ବନିମ୍ନ ୪୨ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବୟସ ପରେ ପେନସନ ପାଇପାରିବେ ।ପିଏମଜେଜେବିୱାଇ ଅଧୀନରେ ଆରମ୍ଭରୁ ବର୍ତମାନ ସୁଦ୍ଧା ୧୨.୭୬ କୋଟି ଲୋକ ଜୀବନ ବୀମା ପଞ୍ଜୀକରଣ କରାଇଛନ୍ତି । ୫,୭୬,୧୨୧ ଲୋକଙ୍କ ପରିବାରକୁ ଯୋଜନା ଅଧୀନରେ ୧୧,୫୨୨ କୋଟି ଟଙ୍କାର ଦାବି ପୂରଣ କରାଯାଇପାରିଛି । ଏହି ଯୋଜନା ମହାମାରୀ ସମୟରେ କମ ଆୟ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି, କାରଣ ୨୦୨୧ ଆର୍ôଥକ ବର୍ଷରେ, ପରିଶୋଧ କରାଯାଇଥିବା ମୋଟ୍ ଦାବି ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୋଭିଡ-୧୯ ଜନିତ ମୃତ୍ୟୁ ସହ ଜଡ଼ିତ ଥିଲା । ମହାମାରୀ ଅବଧି ସମୟରେ ଦାବିଗୁଡ଼ିକ ତୁରନ୍ତ ପୂରଣ କରାଯିବା ଲାଗି ବୀମା ଦାବି ପୂରଣ ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ କରାଯାଇଥିଲା । ଦାବିର ସହଜ ସମାଧାନ ପାଇଁ ଆରମ୍ଭ କରାଯାଇଥିବା ପରିବର୍ତନ ଏବେ ସୁଦ୍ଧା ଜାରି ରହିଛି । ମହାମାରୀ ଆରମ୍ଭ ପରଠାରୁ, ଅର୍ଥାତ୍ ୧ ଏପ୍ରିଲ, ୨୦୨୦ ଠାରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ, ମୋଟ୍ ୨.୧୦ ଲକ୍ଷ ଦାବି ବାବଦରେ ୪,୧୯୪.୨୮ କୋଟି ଟଙ୍କାର ଅର୍ଥରାଶି ପରିଶୋଧ କରାଯାଇଛି । ଦାବି ପୂରଣ ହାର ୯୯.୭୨ ପ୍ରତିଶତ ରହିଛି ।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ‘‘ଅନୁରୂପ ଭାବେ ପିଏମଏସବିୱାଇର ଶୁଭାରମ୍ଭ ପରଠାରୁ ୨୮.୩୭ କୋଟି ଲୋକ ଦୁର୍ଘଟଣା ସୁରକ୍ଷା ନିମନ୍ତେ ପଞ୍ଜୀକରଣ କରାଇଛନ୍ତି । ୯୭ ହଜାର ୨୨୭ଟି ଦାବି ପାଇଁ ୧,୯୩୦କୋଟି ଟଙ୍କା ପରିଶୋଧ କରାଯାଇଛି । ୪ କୋଟିରୁ ଅଧିକ ଲୋକ ଏପିୱାଇ ଯୋଜନାର ସଦସ୍ୟ ହୋଇଛନ୍ତି ।
ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ କରିଥିବା ଘୋଷଣା ମୁତାବକ, ଆଗକୁ, ଦେଶର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ବୀମା ଓ ପେନସନର ସାମାଜିକ ସୁରକ୍ଷା ଯୋଜନା ପହଞ୍ଚାଇବା ଲାଗି ଆମର ପ୍ରୟାସ ଜାରି ରହିବ ।