
-
୩୧୫ ଲିଟର ମଦ ଜବତ
ଗଞ୍ଜାମ, ବ୍ରହ୍ମପୁର ପୋଲିସ ପକ୍ଷରୁ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ସେହିପରି ସହରର ପ୍ରବେଶ ପଥ ଗୁଡିକରେ ନାକାବନ୍ଦୀ କରି ପୋଲିସ ଜଗିବା ସହ ଯାତାୟାତ କରୁଥିବା ଗାଡି ଚାଳକଙ୍କୁ ଅଟକାଇ ଯାଂଚ୍ କରିଛି । ଏହି ଯାଂଚ୍ ବେଳେ ୩୦ ଜଣ ମଦୁଆ ଗାଡି ଚାଳକ ପୋଲିସ ହାତରେ ଧରାପଡିଛନ୍ତି । ସେମାନଙ୍କୁ ଗିରଫ କରାଯିବା ସହ ଗାଡି ଜବତ କରାଯାଇଥିବା ନେଇ ବ୍ରହ୍ମପୁର ପୋଲିସ ଏସପି ଡଃ. ସର୍ବଣା ବିବେକ ଏମ. ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।
ଗତକାଲି ରାତି ୧୦ଟା ଠାରୁ ଏହି ନାକାବନ୍ଦୀ ଆରମ୍ଭ ହୋଇଥିଲା । ଜାତୀୟ ରାଜପଥ କଡ଼ ଲାଞ୍ଜିପଲ୍ଲୀ ବାଇପାସ୍ ସମେତ ସଦର ଥାନା ପୋଲିସ ପକ୍ଷରୁ ବ୍ରଜନଗର ଛକ ଠାରେ ନାକା କରାଯାଇଥିଲା । ସେହିପରି ସହରର ଅନ୍ୟାନ୍ୟ ଥାନା ଇଲାକାରେ ମଧ୍ୟ ପୋଲିସ ପକ୍ଷରୁ ନାକା କରାଯାଇ ମଦୁଆ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିଲା ।
ଗୋପାଳପୁର ପୋଲିସ ପକ୍ଷରୁ ଡୁରା ଛକ ଠାରେ ନାକା ହୋଇଥିଲା । ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ. ରାତିରେ ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଗତକାଲି ଗୋଟିଏ ଦିନରେ ପୋଲିସ ପକ୍ଷରୁ ପୃଥକ୍ ପୃଥକ୍ ୨୩ଟି ଅବକାରୀ ମାମଲା ରୁଜ୍ଜୁ କରାଯିବା ସହ ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ସହରର ବିଭିନ୍ନ ଥାନା ଇଲାକାରୁ ୨୩ଟି ସ୍ଥାନରେ ଅବକାରୀ ଚଢ଼ଉ କରାଯାଇ ପ୍ରାୟ ୩୧୫ ଲିଟର ମଦ ଜବତ ହୋଇଥିବା ସୂଚନା ମିଳିଛି । ୨୦୧ ଟି ଗାଡିକୁ ୨ ଲକ୍ଷ ୧୫ ଶହ ଟଙ୍କାର ଚାଲାଣ କଟାଯାଇଛି । ଅନୁରୂପ ଭାବେ ୫ ଜଣ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯିବାକୁ ସୁପାରିଶ କରାଯାଇଛି ।