ବଲାଙ୍ଗୀର,ବଲାଙ୍ଗିର ସହରରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦାଉ ସାଧିଛି ପିଇବା ପାଣି ସମସ୍ୟା । ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ସହରବାସୀ । ତେବେ ଏଭଳି ସ୍ଥିତିରେ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା ଲୀକା ସାହୁ । ସୂଚନା ଅନୁସାରେ, ସହରର ଅନେକ ସ୍ଥାନକୁ ପାଇପ ଯୋଗେ ପାଣି ପହଞ୍ଚି ପାରିନାହିଁ ।
ସେହିପରି ଯେଉଁଠି ପାଇପ ଲାଇନ୍ ଅଛି ସେଠି ମଧ୍ୟ ଚାରି ଦିନରେ ଥରେ ପାଣି ଏକ ଘଣ୍ଟା ପାଇଁ ଦିଆଯାଇଛି । ଯାହାଫଳରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଏହାର ସମାଧାନ ପାଇଁ ଘନ ଘନ ବୈଠକ ସତ୍ବେ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ତେବେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଲୀକା ସାହୁ ନିଜେ ସ୍ଥିତି ପରିଖିବା ସହ ବଲାଙ୍ଗୀର ସହରକୁ ପାଣି ଆସୁଥିବା ଲିଫ୍ଟ ପଏଣ୍ଟକୁ ନିଜେ ଯାଇ ସମସ୍ୟାର ଅନୁଧ୍ୟାନ କରିଛନ୍ତି ।
ବଲାଙ୍ଗୀର ସହରକୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବୁନ୍ଦେଲ ବହାଳ ଠାରୁ ପାଣି ଆସିଥାଏ । ଏହାର ସମାଧାନ ପାଇଁ ବଲାଙ୍ଗୀର ପୌରପରିଷଦ ଦେଢ଼ କୋଟି ଟଙ୍କାର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଜେନେରେଟର ବ୍ୟବସ୍ଥା ପାଇଁ ପ୍ରସ୍ତାବ ନେଇଛି । ଏହାର ମଞ୍ଜୁର ପାଇଁ ସରକାରଙ୍କ ପାଖକୁ ଏହି ପ୍ରସ୍ତାବ ପଠାଯିବ ବୋଲି ପୌରାଧ୍ୟକ୍ଷା ଲୀକା ସାହୁ କହିଛନ୍ତି । ତେବେ ଏହାଦ୍ବାରା ବଲାଙ୍ଗୀର ସହରରେ ଆଉ ପିଇବା ପାଣିର ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ସହ ବଲାଙ୍ଗୀର ଜନସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ସାମିଲ ଥିଲେ ।