
ନୂଆଦିଲ୍ଳୀ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ସାଗରମାଳା ପ୍ରକଳ୍ପର ସଫଳତା ଆଧାରରେ ତାଙ୍କ ମନ୍ତ୍ରଣାଳୟ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି । ଏହି କାର୍ଯ୍ୟକ୍ରମ ସାଗରମାଳା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ ।
ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍ଏସ୍ଏସି)ର ଏକ ବୈଠକ ପରେ ମନ୍ତ୍ରୀ ଶ୍ରୀ ସୋନୋୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଏକାଧିବାର ଆଲୋଚନା ଓ ବିଚାର ବିମର୍ଶ ପରେ ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୫୬୭ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ହୋଇଥିବା ଏହି ପ୍ରକଳ୍ପଗୁଡିକ କନ୍ଭରଜେନ୍ସ ମୋଡ୍ (କେନ୍ଦ୍ରାଭିମୁଖୀ ବ୍ୟବସ୍ଥା)ରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୫୮,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।