କେନ୍ଦୁଝର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ନ୍ତଗତ ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ଶଶିଭୂଷଣ ମେମୋରିଆଲ୍ ହସ୍ପିଟାଲ, ବାଲିକୁଦା, କଟକର ସହଯୋଗରେ ଏକ ଗ୍ରହଣଖଣ୍ଡିଆ ଓ ତାଳୁକଣା ଶିଶୁଙ୍କ ଅସ୍ତ୍ରୋପଚାର ପରବର୍ତୀ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡି.ଇ.ଆଇ.ସି.ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଵାସ୍ଥ୍ୟ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାଃ ସୁଜାତାରାଣୀ ମିଶ୍ର ଉଦ୍ବୋଧନ ଦେଇ କହିଥିଲେ ଯେ, ଶିଶୁମାନଙ୍କର ଉତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାରେ ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ମାଧ୍ୟମରେ ଅନେକ ଶିଶୁ ଉପକୃତ ହୋଇପାରିବେ । ଏହି ଶିବିରରେ ଶଶିଭୂଷଣ ମେମୋରିଆଲ୍ ହସ୍ପିଟାଲର ଅଭିଜ୍ଞ ଚିକିତ୍ସକ ଡାଃ. ପ୍ରଶାନ୍ତ କୁମାର ବଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ୮୯ ଜଣ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ଚିିକିତ୍ସାସେବା ଓ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ, କେନ୍ଦୁଝର ମାଧ୍ୟମରେ ଗତ ୭ ବର୍ଷ ମଧ୍ୟରେ ସଫଳତାର ସହ ୩୨୦ ଜଣ ଶିଶୁଙ୍କ ମାଗଣାରେ ଗ୍ରହଣ ଖଣ୍ଡିଆ ଅସ୍ତ୍ରପୋଚାର କରାଯାଇଅଛି । ଏହି ଶିବିରଟି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାଃ. କିଶୋର କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭିବିଡି) ଡାଃ. ଦେବେନ ଦାସ ଏବଂ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାଃ. ପ୍ରଣତିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କେନ୍ଦୁଝରର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ, ଆର୍.ବି.ଏସ୍.କେ. ମ୍ୟାନେଜର ବିଜନ କୁମାର ସାହୁ ଏବଂ ସ୍ମାଇଲ ଟ୍ରେନ୍ ପ୍ରୋଜେକ୍ଟ୍ ମ୍ୟାନେଜର ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଡି.ଆଇ.ଇ.ସି.ର ସମସ୍ତ କର୍ମକର୍ତା ଓ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଦଳର କର୍ମକର୍ତା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।