ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଉଛୁ । ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଅନୁସାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ତଥା କେଉଁଠି ଲ୍ୟାଣ୍ଡଫଲ୍ କରିବ ଜଣାପଡ଼ିଲେ ସେମାନଙ୍କୁ ତୁରନ୍ତ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ ସବୁଠି ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଗ୍ନିଶମ କର୍ମଚାରୀ ଯାଂଚ କରି ସାରିଛନ୍ତି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ୧୭୫ ୟୁନିଟ ବିଭିନ୍ନ ଜିଲ୍ଲାକୁ ପଠାଯିବ । ସେମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ କାମ କରିବେ । ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ୧୧୨ ନମ୍ବରରେ କଲ୍ କରିହେବ । ଫଳରେ ତୁରନ୍ତ ସେମାନଙ୍କୁ ସେବା ଯୋଗାଇ ହେବ । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସେବା ୨୪ ଘଂଟା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଂଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।