ମାଲକାନଗିରି, ନିଜର ବଳିଷ୍ଠ ବ୍ୟକ୍ତିତ୍ବ ଦ୍ବାରା ଲୋକଙ୍କୁ ପୁଲିସର ଆସ୍ଥାଭାଜନ କରିପାରିଥିଲେ । କିଛିଦିନ ତଳେ ଅନିଲ ପରିଡ଼ାଙ୍କ ଚିତ୍ରକୋଣ୍ଡା ଥାନା ଅଧିକାରୀ ଭାବେ ବଦଳି ହୋଇଯାଇଛି । ଆଜି ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ଦାର୍ଲାବେଡ଼ା ଗ୍ରାମରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି ସଭାରେ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଯୋଡ଼ାମୁ, ଦାର୍ଲାବେଡ଼ା ଗ୍ରାମବାସୀଙ୍କ ଦ୍ବାରା ଏକ ବିଦାୟକାଳୀନ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନିଲ କୁମାର ପରିଡ଼ା ନୂତନ ଭାବେ ଗଠିତ ଯୋଡ଼ାମ୍ବ ଥାନାର ପ୍ରଥମ ଥାନା ଅଧିକାରୀ ରୂପେ ଗତ ୨୦୨୦ ମସିହା ଫେବ୍ରୁଆରି ୨୦ ତାରିଖରେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ସମୟରେ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ, ଦାର୍ଲାବେଡ଼ା, ପଣସପୁଟ, ଗୋରାସେତୁ ଅଞ୍ଚଳରେ ମାଓବାଦୀଙ୍କ ଦବଦବା ରହିଥିଲା । ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଲୋକଙ୍କ ଭଲ ମନ୍ଦରେ ଓ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଲୋକଙ୍କ ନିକଟରେ ପହଞ୍ଚି ଯାଉଥିଲେ । ସେ ଥିଲେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ପୁଲିସ ଅଫିସର। ଯେଉଁ ଅଞ୍ଚଳ ଦିନେ ମାଓବାଦୀଙ୍କ ଗଡ଼ ଥିଲା ସେଠାରେ ଲୋକେ ପୁଲିସକୁ ନିଜ ବିଶ୍ଵାସକୁ ନେଇପାରୁନଥିଲେ । କିନ୍ତୁ ତାଙ୍କ ଆସିବା ପରେ ଚିତ୍ର ବଦଳିଛି।
ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷା ରାଜେଶ୍ଵରୀ ଖିଲ, ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀ, ପୂର୍ବତନ ବଡ଼ପଡା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ କରି ମାଓ ଗଡ଼ରେ ଜଣେ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀଙ୍କୁ ଏଭଳି ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା ।