ନୂଆପଡ଼ା, ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ଵରେ ନୂଆପଡା ଜିଲ୍ଳା ଶ୍ରମିକ ମହାସଂଘ ତରଫରୁ ଜିଲ୍ଲାରେ ସକ୍ରିୟ ଥିବା ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାରଲା ତଥା ଅତିରିକ୍ତ ଶ୍ରମ ଅଧିକାରୀ ଡି.ଏସ ଧରୁଆଙ୍କୁ ଦୀର୍ଘ ସାଢ଼େ ତିନି ଘଣ୍ଟା କାଳ ଅଟକ ରଖିଥିଲେ। ବିଭିନ୍ନ ସମୟରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ, ଆଲୋଚନା, ଆନ୍ଦୋଳନ ଓ ବିକ୍ଷୋଭ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ଶ୍ରମ କାର୍ଯ୍ୟାଳୟ ଦଲାଲ ମାନଙ୍କ ଆଡ୍ଡା ପାଲଟିଛି ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରାଯାଇଥିଲା, ଯାହାକୁ ଶ୍ରମ ଅଧିକାରୀ ଖଣ୍ଡନ କରିଥିଲେ।ଗତ ଶ୍ରମିକ ଦିବସ ପାଳନରେ କୌଣସି ଶ୍ରମିକ ସଂଗଠନ କିମ୍ବା ମହାସଂଘର କର୍ମକର୍ତ୍ତାଙ୍କୁ ଓ କଳାହାଣ୍ଡି ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏଥିପାଇଁ ଏହି ଉତ୍ସବକୁ ମହାସଂଘ ତରଫରୁ ବହିଷ୍କାର କରିବା ସହିତ ସ୍ଵତନ୍ତ୍ର ଭାବରେ ନୂଆପଡା ବ୍ଲକର ଖାଇରାନୀ ଠାରେ ପାଳନ କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ଯୋଗାଯୋଗରେ ବ୍ୟତିକ୍ରମ ପାଇଁ ଏପରି ଅନିଚ୍ଛାକୃତ ଭୁଲ ହୋଇଥିଲା ଓ ଭବିଷ୍ୟତରେ ଏପରି ହେବ ନାହିଁ କହି ପ୍ରତିଶୃତି ଦେଇଥିଲେ। ମହାସଂଘର କର୍ମକର୍ତ୍ତାଙ୍କ ସହିତ ବିସ୍ତୃତ ଚର୍ଚ୍ଚା ହୋଇ ଲିଖିତ ପ୍ରତିଶୃତି ଦେଲା ପରେ ମହାସଂଘ ଅଧିକାରୀଙ୍କୁ ଅଟକ କାର୍ଯ୍ୟକ୍ରମରୁ ଓହରିଥିଲା। ପ୍ରଥମରେ ବହୁଦିନରୁ ପଡି ରହିଥିବା ଶ୍ରମିକ କଲ୍ୟାଣ ଯୋଜନାର ବିଭିନ୍ନ ଆର୍ଥିକ ସହାୟତା ଫାଇଲର ତାଲିକା ରେଜିଷ୍ଟର୍ ପ୍ରସ୍ତୁତ କରାଯାଇ କ୍ରମ ଅନୁଯାୟୀ ସମାଧାନ କରାଯିବ।ଦ୍ଵିତୀୟରେ ଶ୍ରମିକ ମହାସଂଘ ତରଫରୁ ବିଭିନ୍ନ ଗାଁରେ ବିଭିନ୍ନ ସ୍ଥାନରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ନାମରେ ଦଲାଲ ମନେ ସକ୍ରିୟ ହୋଇ ବିଭିନ୍ନ ସହାୟତା, ପଞ୍ଜିକରଣ ଓ ନବୀକରଣ କରାଇଦେବା କଥା କହି ଶ୍ରମିକ ମାନଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି ତଥା ଏଥିରେ ଅଫିସର କିଛି ତଳିଆ କର୍ମଚାରୀ ସାମିଲ ହୋଇଛନ୍ତି ବୋଲି ମହାସଂଘ ଅଭିଯୋଗ କରିଥିଲା। ଏହି ଅଭିଯୋଗର ନିର୍ଦିଷ୍ଟ ପ୍ରମାଣ ମିଳିଲେ ଆଇନ ଅନୁଯାୟୀ ଶ୍ରମ ଅଧିକାରୀଙ୍କ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତୃତୀୟରେ ଜିଲ୍ଲାରେ ସକ୍ରିୟ ଥିବା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଶ୍ରମିକ ସଂଗଠନ ଗୁଡିକ ପଞ୍ଜିକରଣ, ନବୀକରଣ ଓ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ପାଇଁ ଅଥରାଇଜେସନ ପତ୍ରକୁ କାର୍ଯ୍ୟକାରୀ କରାଯାଉନାହିଁ। ଏହାର ସମ୍ପୂର୍ଣ୍ଣ ତାଲିକା ମଧ୍ୟ ଶ୍ରମ କାର୍ଯ୍ୟାଳୟରେ ନାହିଁ। ଜିଲ୍ଲା ଶ୍ରମ ଅଧିକାରୀ ରେଜେଷ୍ଟ୍ରିଭୁକ୍ତ ଓ ମାନ୍ୟତାପ୍ରାପ୍ତ ଶ୍ରମ ସଂଗଠନ ଗୁଡ଼ିକର ଅଥରାଇଜେସନ କ୍ଷମତାର ବିଧିବଦ୍ଧ ସମ୍ମାନର ସହିତ କାର୍ଯ୍ୟକାରୀ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ। ଏଥିରେ କୌଣସି ବିଚ୍ୟୁତି ମଧ୍ୟ କରାଯିବ ନାହିଁ ବୋଲି ଜଣାଇଥିଲେ। ଚତୁର୍ଥରେ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ଶ୍ରମିକ କଲ୍ୟାଣ ବୋର୍ଡ ସାରା ରାଜ୍ୟରେ ବନ୍ଦ ଅଛି,କାର୍ଯ୍ୟକ୍ଷମ ହେବ କ୍ଷଣି ଯୁଦ୍ଧ କାଳୀନ ଭିତ୍ତିରେ ଏକ କାଳୀନ ସମସ୍ତ ଗଛିତ ଥିବା ଫାଇଲକୁ ସମ୍ପାଦନ କରାଯିବ ବୋଲି ଶ୍ରମ ଅଧିକାରୀ ପ୍ରତିଶୃତି ଦେଇଥିଲେ। ଉପର ବର୍ଣ୍ଣିତ ଚାରି ବିନ୍ଦୁ ଉପରେ ଲିଖିତ ପ୍ରତିଶୃତି ଦେଲାପରେ ମହାସଂଘ ଅଧିକାରୀ ମାନଙ୍କୁ ଅଟକରୁ ମୁକ୍ତ କରିଥିଲେ।
ଏହି ଆଲୋଚନା ଓ କାର୍ଯ୍ୟକ୍ରମରେ ଶ୍ରମିକ ନେତା ସର୍ବଶ୍ରୀ ଭକ୍ତବନ୍ଧୁ ଧରୁଆ, ଶୁକ୍ଳାମ୍ବର ନିଆଲ, ସୁଖଦେଓ ସାହୁ, ଅନିରୁଦ୍ଧ ନାଗ, ମନୋରଞ୍ଜନ ସାହୁ, ବାବୁଲଲ ମାଝୀ, ଟିକେଶ୍ୱର ପାଣ୍ଡେ, ଦେଓଚରଣ ପାଣ୍ଡେ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଅଭିନ୍ନ ପୁରୋହିତ ଓ ଅନ୍ୟାନ୍ୟ ଶ୍ରମିକ ନେତା ମାନେ ସାମିଲ ହୋଇଥିଲେ।