
ଭୁବନେଶ୍ୱର, ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦ ଏବଂ ତିଲେଇବଣି ବିଧାୟକଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟର ସବୁ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଶାସକ ବିଜେଡି ଯେଉଁ ଭଳି ଭାବେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଅଗଣତାନ୍ତ୍ରୀକ ଉପାୟରେ ଗିରଫ କଲେ, ତାହା ଅତ୍ୟନ୍ତ ଅଶୋଭନୀୟ ଆଚରଣ । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଏତଲା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ତିଲେଇବଣି ବିଡିଓଙ୍କ କାଉଂଟର ଏଫଆଇଆର ଓ ତଦନ୍ତ ଆଧାରରେ ତରବରିଆ ଏବଂ ଏକପାଖିଆ ଆକ୍ରୋଶମୁଳକ ଭାବେ ବିଧାୟକଙ୍କୁ ଗିରଫ ଘଟଣା ଶାସକ ବିଜେଡିର ବିରାଟ ଷଡଯନ୍ତ୍ର । ଶାସକ ବିଜେଡି ସମର୍ଥିତ ପୂର୍ବତନ ସରପଂଚଙ୍କ ସ୍ୱାମୀ ହେଉଛନ୍ତି ତିଲେଇବଣି ବିଡିଓ । ବିଧାୟକଙ୍କ ଏତଲାକ୍ରମେ ବର୍ତମାନ ସୁଦ୍ଧା ବିଡିଓଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପଛରେ ଶାସକ ବିଜେଡିର ପ୍ରତ୍ୟକ୍ଷ ହାତ ରହିଛି । ଏହାର ପ୍ରତିବାଦରେ ଅଜି ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ।