ଭୁବନେଶ୍ୱର,ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ୧୦ ସୁଦ୍ଧା ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଅନ୍ୟ ପକ୍ଷରେ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ରଟି ୮ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ପରେ ତାହା ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖି ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର। ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ, କେବେ ଛୁଇଁବ ଓ ତୀବ୍ରତା କେତେ ରହିବ ତାହା ଆଜି ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।