ବଲାଙ୍ଗିର, କଲରାପତରିଆ ବାଘ ଛାଲ ଜବତ ସହ ଜଣକୁ ଗିରଫ କରିଛି ଏସଟିଏଫ। ବଲାଙ୍ଗୀର ଜିଲ୍ଲା ସଇଁତଳା ବନାଞ୍ଚଳ ଅନ୍ତର୍ଗତ ଟିକିରାପଡା ଅଂଚଳରୁ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ। ଗତକାଲି ରାତିରେ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ସମୟରେ ଏସଟିଏଫ ଚଢଉ କରି ଉକ୍ତ ବାଘ ଛାଲକୁ ଜବତ କରିଥିଲା। ବେଆଇନ ଭାବେ ବାଘ ଛାଲ ବ୍ୟବସାୟ କରୁଥିବା ଅଭିଯୋଗରେ ଏସଟିଏଫ ଚରଚରା ଗାଁର ଆଦିକନ୍ଦ ଘିବେଲା ନାମକ ବାଘ ଛାଲ ବେପାରୀକୁ ଗିରଫ କରିଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ମଧ୍ୟ ବନ କର୍ମଚାରୀଙ୍କ ସହାୟତାରେ ଏସଟିଏଫ ବଲାଙ୍ଗୀର ସହରର ମାଲପଡାରୁ ୬ଟି ହାତୀଦାନ୍ତ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁ ଶରୀର ଅଂଶବିଶେଷ ଚୋରା ଚାଲାଣ ସମୟରେ ଏସଟିଏଫ ହାତରେ ଧରାପଡୁଥିବାରୁ ଜିଲ୍ଲା ବନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ଉଠୁଛି। ଜିଲ୍ଲାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗାଇବାରେ ବନବିଭାଗ ଫେଲ ମାରୁଥିବା ନେଇ ଚର୍ଚ୍ଚା ହେଉଛି। କଳରପତରିଆ ବାଘ ଛାଲ ଜବତ ଘଟଣାରେ ଗିରଫ ଅଭିଯୁକ୍ତ ଆଦିକନ୍ଦକୁ ରାତିରେ ଅଣାଯାଇ ବଲାଙ୍ଗୀର ରେଞ୍ଜ କାର୍ଯ୍ୟାଳୟରେ ରଖି ପଚରାଉଚୁରା କରାଯାଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ସୁବାସିନୀ ସାହୁ ନାମକ ଜଣେ ମହିଳା ଏବଂ ତିନି ଜଣ ବ୍ୟକ୍ତି ଉକ୍ତ ବାଘ ଛାଲଟିକୁ ବିକ୍ରି କରିଦେବାକୁ ତାଙ୍କୁ ଆଣି ଦେଇଥିବା ନେଇ ଆଦିକନ୍ଦ ତଦନ୍ତ ସମୟରେ ପ୍ରକାଶ କରିଛି। ଏସଟିଏଫ ଓ ବନବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି।