ପୁରୀ, ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଯାପିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟଦେବ ପ୍ରତିଷ୍ଠାନର ମହାସଚିବ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଅଧ୍ୟାପକ ଡଃ. ସୁକାନ୍ତ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର କୈଳାଶ ଚନ୍ଦ୍ର ଟିକାୟତରାୟ ଯୋଗ ଦେଇଥିଲେ । ଜୟଦେବଙ୍କ ଓଡ଼ିଶାର ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । କାବ୍ୟ ସୃଷ୍ଟିରେ, ଭାଷା, ଭାବ, ରସ ଓ ତତ୍ତ୍ବରେ ଜୟଦେବ ହେଉଛନ୍ତି ଅନନ୍ୟ । ତାଙ୍କ ରଚିତ ଗୀତଗୋବିନ୍ଦ ପ୍ରତ୍ୟେକ ଓଡିଆଙ୍କ ପ୍ରାତଃ ବନ୍ଦନୀୟ । ଗୀତଗୋବିନ୍ଦର ଶ୍ଲୋକାବଳୀ ଜଗନ୍ନାଥଙ୍କ ଅତି ପ୍ରିୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମଧୁମିତା ମିଶ୍ର ଓ ଶାଶ୍ବତୀ ଦାଶ ଏବଂ ଟ୍ରୁପଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।