-
ରାସ୍ତାଘାଟ, ରଥକାଠ ଯୋଗାଣ, ସ୍ଵାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵ
ପୁରୀ, ପବିତ୍ର ରଥଯାତ୍ରା ୨୦୨୨ ନିମନ୍ତେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାସ୍ତାଘାଟ, ରଥ ନିର୍ମାଣ ନିମନ୍ତେ କାଠ ଯୋଗାଣ, ସ୍ଵାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଏଥିସହ ବର୍ଷାକୁ ଲକ୍ଷ୍ୟ କରି ଡ୍ରେନେଜ୍ ଓ ସ୍ଵେରେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସପି କେ. ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଗଣ ଓ ସେବାୟତ ମାନେ ଯୋଗ ଦେଇଥିଲେ ।