ବଲାଙ୍ଗିର,ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭଗ ଆନୁକୁଲ୍ୟରେ ସ୍ତାନୀୟ ରାଜେନ୍ଦ୍ର କୃଷି ଫାର୍ମ ଠାରେ କୃଷକ ଦିବସ ତଥା ଅଖି ମୁଠି ପାଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ମୁଖ୍ୟ ଅତିଥି ଓ ବଲାଙ୍ଗୀର ବ୍ଳକ ଅଧ୍ୟକ୍ଷ ସରିତା ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଚଞ୍ଚଲ୍ ରାଣା ପୌରହିତ୍ୟରେ ଜିଲ୍ଲାପାଳ ଭୂମି ପୂଜା ଓ ପୂଜା ବିଧି ପାଳନ କରିଥିଲେ। କ୍ଷେତରେ ଧାନ ବୁଣି ଅଖିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପସ୍ଥିତ ରହି ଚାଷୀ ମାନଙ୍କୁ ଅଖି ତୃତୀୟାର ଅଭିନନ୍ଦନ ଜଣାଇଥିଲେ। ଚାଷୀମାନେ ଯେପରି ଆଗକୁ ଆହୁରି ଜାଗ୍ରତ ଓ ଉଦ୍ୟମି ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ରାଜ୍ଯରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀମାନେ ଉପକୃତ ହେବାକୁ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। କୃଷିଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଚାଷୀମାନେ ସୁଯୋଗ ନେବା ଓ ଅର୍ଥ ନୈତିକ ଅଭିବୃଦ୍ଧି ରେ ସହାୟକ ହେବାକୁ ସେ ପରାମର୍ଶ ଦେଇଥିଲେ।
ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଗ ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସାହୁ ଉଦବୋଧନ ଦେଇ କୃଷି ଓ କୃଷକ ମାନେ ସମାଜର ମେରୁଦଣ୍ଡ ଏଣୁ ସରକାରଙ୍କ କୃଷି ବିଭାଗର କୃଷକ କଲ୍ୟାଣ ଯୋଜନା ରୂପାୟନ ନିମନ୍ତେ ସମସ୍ତେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ଚକ୍ରରେ କୃଷି ବିଭାଗ ଉଦ୍ୟାନ କୃଷି ଓ କୃଷକ ସଶକ୍ତିକରଣ ବିଭଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ଉଦ୍ୟାନ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସତୀ ମାୟ ଶତପଥୀ, ମୂର୍ତ୍ତୀକା ରସାୟନବିତ୍ ବିମ୍ବାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କୃଷି ବିଭାଗ ଅଧିକାରୀ ସାରଦା ପ୍ରସାଦ ମିଶ୍ର କୃଷକ ଦିବସ ପାଳନ ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ସହିତ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନାର ସୂଚନା ପ୍ରଦାନ କରିଥିଲେ।
ଜିଲ୍ଲା ଉଦ୍ୟାନ ଅଧିକାରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ମହି ତୋଟି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ଆଲୋଚନାକୁ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚାଷୀମାନେ ଯୋଗଦେଇଥିଲେ।