-
ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟବାସୀଙ୍କୁ ବାତ୍ୟା ଭୟରେ ଘରେ ନେଇ ଅତ୍ୟଧିକ ସାମଗ୍ରୀ କିଣି ଘରେ ମହଜୁଦ ନ ରଖିବାକୁ ଅନୁରୋଧ କରିଛନ୍ତି । ସେ ଟ୍ୱିଟ କରି ଲୋକ ମାନଙ୍କୁ ଏହି ଅନୁରୋଧ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ରଖନ୍ତୁ ନାହିଁ । ଏହା ଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ ଏବଂ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ।
ସେ ଆହୁରି କହିଛନ୍ତି ଯେ -ସରକାର ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ମଧ୍ୟ ବଜାର ଉପରେ କଡା ନଜର ରଖିଛନ୍ତି । ବଜାରରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି । କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଉଅଛି ଏବଂ ଆବଶ୍ୟକ ସ୍ଥଳେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ । ସରକାର ସବୁବେଳେ ଆପଣଙ୍କ ସହିତ ରହିଛି ବୋଲି ସେ କହିଛନ୍ତି ।