ଭୁବନେଶ୍ୱର, ଭାରତର ଲାଭଦାୟକ ରାଷ୍ଟ୍ରାୟତ ସଂସ୍ଥା ଜୀବନ ବୀମା ନିଗମ ବା ଏଲଆଇସିର ଘରୋଇକରଣ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରଠାରେ ସିପିଆଇ ପକ୍ଷରୁ ଏଲଆଇସିର ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ପୂର୍ବାହ୍ନରେ ସିପିଆଇର କର୍ମୀମାନେ ରାଜଭବନ ଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ଏଲଆଇସିର ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଆନ୍ଦୋଳନରତ ଏଲଆଇସି କର୍ମଚାରୀମାନେ ବିକ୍ଷୋଭକାରୀମାନଙ୍କୁ ସ୍ୱାଗତ କରିବା ଦେଖାଯାଇଥିଲା ।
ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ ଓ ଭୁବନେଶ୍ୱର ଜୋନ୍ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାରର ତୀବ୍ର ସମାଲୋଚନା କରି କହିଲେ– ଏହି ସରକାର ରେଳବାଇ, ବନ୍ଦର ଏପରିକି ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକିଦେବା ପରେ ଏବେ ଜୀବନ ବୀମା ନିଗମ ଉପରେ ଶ୍ୱେନ ଦୃଷ୍ଟି ପଡ଼ିଛି । କିନ୍ତୁ ସେମାନେ ଜାଣି ରଖିବା ଦରକାର ଯେ ଏଲଆଇସି କାହାର ବ୍ୟକ୍ତିଗତ କିମ୍ବା ପୈତୃକ ସମ୍ପତି ନୁହେଁ । କୋଟି କୋଟି ଭାରତୀୟ ଜମାକାରୀଙ୍କ ଅର୍ଥରେ ଏହା ଗଢ଼ିଉଠିଛି । କିନ୍ତୁ ମୋଦି ସରକାର ଏହାର ୨୦ ହଜାର କୋଟି ଟଙ୍କାର ଅଂଶଧନ ବିକ୍ରି କରିବାକୁ ବସିଛନ୍ତି । ଏମାନେ ତାଙ୍କର କାର୍ଯ୍ୟକାଳ ଭିତରେ ସମଗ୍ର ଭାରତବର୍ଷକୁ ବିକିଦେବେ । ଏହା ବିରୋଧରେ ସମଗ୍ର ଦେଶପ୍ରେମୀ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ । ବିକ୍ଷୋଭ ପରେ ସିପିଆଇ ଓ ସିପିଆଇ(ଏମ୍), ଏଆଇଟିୟୁସି ଓ ସିଟୁ ପକ୍ଷରୁ ଏକ ମିଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଲଆଇସିର ଆଂଚଳିକ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା ।