-
କୁଶପୁତଳିକା ଦାହ କଲା କଂଗ୍ରେସ
ଭୁବନେଶ୍ୱର, ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ୱେ ପୋଲିସ୍ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତଳିକା ଦାହ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ । ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ପ୍ରତ୍ୟେକ ଥାନା ଘେରାଉ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି ।
ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଓ ବିଜେପି ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝି ବିଧାୟକଙ୍କ ବିରୋଧରେ ପୃଥକ ଭାବେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ଏଥିସହ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସ ପକ୍ଷରୁ ନବରଙ୍ଗପୁରରେ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଛି । ଅପରପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଥିବା ବେଳେ ପୋଲିସ ଝରିଗାଁ ବିଧାୟକଙ୍କ ବିରୋଧରେ ଏତଲା ରଖୁନାହିଁ । ଆଇନ ଏଠାରେ ଠିକ ରାସ୍ତାରେ ଯାଉନାହିଁ ବୋଲି ଅଭିଯୋଗ କରିଛି ବିଜେପି ।
ଅଭିଯୋଗ ଅନୁଯାୟୀ ବିଧାୟକ ଜଣକ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା । ବିଧାୟକ ଜଣକ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଯୁବତୀ ବିଧାୟକଙ୍କୁ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ । କିନ୍ତୁ ବିଧାୟକ ତାଙ୍କ କଥା ମାନିବାକୁ ଅରାଜି ହେବା ସହ ପୂର୍ବ ପରି ସମ୍ପର୍କ ଚାଲୁ ରଖିବାକୁ ଚାପ ପକାଇଲେ । ଯୁବତୀ ଜଣକ ଏହାର ପ୍ରତିରୋଧ କରିବାରୁ ଦୁଇ ତିନି ଦିନ ତଳେ କିଛି ଯୁବକ ଜାଗମରାସ୍ଥିତ ଯୁବତୀଙ୍କ ଘରକୁ ଯାଇ ସେଠାରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୁଲିସ୍ ବିଧାୟକଙ୍କୁ ଗିରଫ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହେଉଛି ।ଏପରିକି ଏତଲାମଧ୍ୟ ରଖୁ ନଥିବା ଅଭିଯୋଗ ହୋଇଛି ।