ଦେବଗଡ଼/ଭୁବନେଶ୍ୱର , ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି । ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରୁଛନ୍ତି । ଫଳରେ ଦେବଗଡ଼ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବନ୍ଦ ଡାକରା ନେଇ ସୂଚନା ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ ।
ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ବିଧାୟକଙ୍କୁ ଗିରଫ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ସିଜେଏମଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୭ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ । ଗତକାଲି ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଥିଲା ।