-
୩ ମୃତ, ଦୁଇ ଗୁରୁତର
ଧର୍ମଶାଳା, ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଡ଼ଚଣା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଆମ୍ବୁଲାନ୍ସରେ ବାଲେଶ୍ଵର ଜିଲ୍ଲା ଭୋଗରାଇର ନାରାୟଣ ମହାନ୍ତି, ପଡିଆର ଶିବ ଶଙ୍କର ପ୍ରଧାନ ଓ ତାଙ୍କ ସ୍ତ୍ରୀ ତଥା ରୋଗୀ ଗୀତାଞ୍ଜଳି ପ୍ରଧାନ ବାଲେଶ୍ଵର ମେଡିକାଲରୁ କଟକ ଅଭିମୁଖେ ଯାଉଥିବା ସମୟରେ ବଡ଼ଚଣା ଛକ ନିକଟରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ଗୀତାଞ୍ଜଳିଙ୍କ ସମେତ ଫାର୍ମାସିଷ୍ଟ ହେମନ୍ତ କୁମାର ବଦି ଓ ଡ୍ରାଇଭର ଭାସ୍କର ସାହୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଗୀତାଞ୍ଜଳିଙ୍କ ସ୍ଵାମୀ ଶିବ ଶଙ୍କର ଓ ହେଲପର ପ୍ରଦୀପ କୁମାର ନାୟକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବଡ଼ଚଣା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବଡ଼ଚଣା ଥାନା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ପୋଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଓ ଟ୍ରକ୍ କୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।