ପଟ୍ଟାମୁଣ୍ଡାଇ,ପଟ୍ଟାମୁଣ୍ଡାଇ ଧୋୟାଚଂଳର ବିଶିଷ୍ଟ ସମାଜସେବୀ ବର୍ଷିଆନ ରାଜନେତା ଡା. ଗଦାଧର ମଲ୍ଲିକଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଚଉଦକୁଲାଟ ଫାଣ୍ଡି ଓ ପଟ୍ଟାମୁଣ୍ଡାଇ ପୋଲିସ ଛାନଭିନ ଚଳାଇଥିବାବେଳେ ଅଦ୍ୟାବଧି ଡକାୟତଙ୍କ ସନ୍ଧାନ ମିଳିପାରିନାହିଁ । ଏହି ଘଟଣା ଗତକାଲି ସନ୍ଧ୍ୟା ୭.୩୦ ମି. ସମୟରେ ଘଟିଥିବାରୁ ସମଗ୍ର ଧୋୟାଚଂଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଧୋୟାଚଂଳର ଲାଇଫ ଲାଇନ କୁହାଯାଉଥିବା ବଲୁରିଆ-ଅଳପୁଆ ବ୍ୟସ୍ତବହୁଳ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଡା. ମଲ୍ଲିକଙ୍କ ଘରୁ ସନ୍ଧ୍ୟା ସମୟରେ ଡକାୟତି ହୋଇଥିବା ଘଟଣାକୁ ନେଇ ସମଗ୍ର ପଟ୍ଟାମୁଣ୍ଡାଇରେ ଆଲୋଡନ ସୃଷ୍ଟି ହୋଇଛି ।
ଗତକାଲି ସନ୍ଧ୍ୟା ସମୟରେ ଡା. ମଲ୍ଲିକ ତାଙ୍କ ବଲୁରିଆ ଛକରେ ଥିବା ନିଜ କ୍ଲିନିକରେ ଥିବା ସମୟରେ ଘରେ ତାଙ୍କର ପୁଅ ଦେବାଶୀଷ ମଲ୍ଲିକ, ବୋହୂ ମମତା ମଲ୍ଲିକ ଓ ନାତୁଣୀ ତପସ୍ଵିନୀ ମଲ୍ଲିକ ଘରେ ଥିବା ସମୟରେ ୪ ଜଣ ଡକାୟତ ପିସ୍ତଲ, ଭୂଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଶ୍ରୀ ମଲ୍ଲିକଙ୍କ ଘରେ ପ୍ରବେଶ କରିଥିଲେ । ପରିବାର ଲୋକ କିଛି ବୁଝିବା ପୂର୍ବରୁ ଡକାୟତମାନେ ପିସ୍ତଲରେ ଆକ୍ରମଣ କରି ଶ୍ରୀ ମଲ୍ଲିକଙ୍କ ପୁଅ ଦେବାଶୀଷଙ୍କ ମୁଣ୍ଡକୁ ଫଟାଇ ଦେବା ସହିତ ଟଙ୍କା, ସୁନା ମାଗିଥିଲେ । ଘରେ ଉପସ୍ଥିତ ଥିବା ବୋହୂ ମମତା ପ୍ରତିରୋଧ କରିବାରୁ ତାଙ୍କୁ ଡକାୟତମାନେ ବାଡିଆପିଟା କରିଥିଲେ । ୪ ଜଣ ଡକାୟତଙ୍କ ମଧ୍ୟରୁ ଜଣେ ଗେଟ ପାଖରେ ଜଗି ରହିଥିବାବେଳେ ୩ ଜଣ ଘରେ ପଶି ଲୁଟପାଟ କରିଥିଲେ । ଘରେ ଥିବା ନଗଦ ୪୦ ହଜାର ଟଙ୍କା, ୩ଟି ସୁନା ମୁଦି, ସୁନାବଳା, ୨ ହଳ ଚୁଡି, କାନଫୁଲ ଓ ନାତୁଣୀ ତପସ୍ବିନୀଙ୍କ କାନଫୁଲ ଓ ଦାମି ଲୁଗାପଟା, ସାଲ ଇତ୍ୟାଦି ଲୁଟି ନେଇଥିଲେ । ଶ୍ରୀମଲ୍ଲିକଙ୍କ ଘର ପାଖରେ କୌଣସି ବ୍ୟକ୍ତିଙ୍କ ଘର ନଥିବାରୁ ତାଙ୍କ ପୁଅ-ବୋହୁଙ୍କ ଚିତ୍କାର ଗ୍ରାମ ଲୋକାମାନେ ଶୁଣି ପାରିନଥିଲେ । ଫଳରେ ଡକାୟତମାନେ ଅତି ସହଜରେ ଲୁଟପାଟ କରି ଖସି ପଳାଇଯାଇଥିଲେ । ଡକାୟତମାନେ ମଧ୍ୟ ଘରର ୨ଟି ମୋବାଇଲ ଫୋନ ନେଇଯାଇଛନ୍ତି । ପୋଲିସ ମୋବାଇଲ ଟ୍ରାକିଂ କରିଥିଲେ ହେଁ ଡକାୟତମାନେ ସମ୍ଭବତଃ ମୋବାଇଲ ସୁଇଚ ଅଫ କରି ଦେଇଥିବାରୁ ଇନ୍ଦୁପୁରର କୁତରଙ୍ଗ ନିକଟ ଡୋଲଜମରା ଠାରୁ ଏହି ମୋବାଇଲର ସିଗନାଲ ଆଉ ଜଣାପଡିନଥିଲା । ତେବେ ଡକାୟତି ଘଟଣା ସଂପର୍କରେ ଡା. ଶ୍ରୀମଲ୍ଲିକ ଚଉଦକୁଲାଟ ଫାଣ୍ଡି ପୋଲିସକୁ ତତକ୍ଷଣାତ ଫୋନେ ଯୋଗ ଖବର ଦେବାକୁ ଚାହିଁଥିଲେ ହେଁ ପୋଲିସ ଫୋନ ରିସିଭ କରିନଥିବା କାରଣକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରେ ଡକାୟତି ସଂପର୍କରେ ଖବର ପାଇ କେନ୍ଦ୍ରାପଡା ଏସପି ସନ୍ଦୀପ ସଂପଦ ମଦକରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ପାଇଁ ପୋଲିସ ଆଜି ଅପରାହ୍ନରେ ଫରେନସିକ ଟିମର ସହାୟତାରେ ଘଟଣାର ଛାନଭିନ ଚଳାଇଛି । ଏହି ଘଟଣାରେ ସଂପୃକ୍ତ ଡକାୟତମାନେ ଶିଘ୍ର ଧରା ପଡିବେ ବୋଲି ଆଇଆଇସି ଶ୍ରୀ ରାଉତ କହିଛନ୍ତି ।