
-
୧୧୦୦ କେଜି ଗଞ୍ଜେଇ, ୧ କେଜି ଅଫିମ, ୬୮୨ ଗ୍ରାମ୍ ସୁନା ଓ ୧୨୦ ଗ୍ରାମ୍ ରୂପା ଅଳଙ୍କାର, ୨ କାର୍ ଜବତ : ଦୁଇ ଭାଇ ଗିରଫ
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ଓ ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ବୁଗୁଡ଼ା ସହରରେ ସମ୍ପ୍ରତି ଗଞ୍ଜେଇ ବ୍ୟବସାୟୀଙ୍କ ପେଣ୍ଠସ୍ଥଳି ପାଲଟିଥିବା ବେଳେ ଗତକାଲି ମଧ୍ୟରାତ୍ରରେ ଏସଟିଏଫ ହାତରେ ଗଞ୍ଜେଇ ବେପାରୀ ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନ ଧରାପଡିଛନ୍ତି । ଏମାନେ ସମ୍ପର୍କରେ ଦୁଇ ଭାଇ । ଏସଟିଏଫ ଟିମ୍ ସେମାନଙ୍କ ଠାରୁ ୧୧୦୦ କେଜି ଗଞ୍ଜେଇ, ୧ କେଜି ଅଫିମ, ୬୮୨ ଗ୍ରାମ୍ ସୁନା ଓ ୧୨୦ ଗ୍ରାମ୍ ରୂପା ଅଳଙ୍କାର, ଏକ ଇନୋଭା କାର୍ ଓ ଏକ ସ୍ୱିଫ୍ଟ ଡିଜେଆର କାର୍ ସହିତ କୋଟି କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଟିମ୍ ଜବତ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବୁଗୁଡ଼ା ରଘୁନାଥ ସାହି ସ୍ଥିତ ବନମାଳି ପ୍ରଧାନଙ୍କ ଘର ଉପରେ ଏସଟିଏଫ ଟିମ୍ ଚଢ଼ଉ କରି ଦୁଇ ଭାଇଙ୍କୁ କାବୁ କରିବାରେ ସଫଳ ହୋଇଛି । ଏହି ଚଢ଼ଉ ସମୟରେ ସେଠାରେ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା, ଅତିରିକ୍ତ ବୁଗୁଡ଼ା ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱରରୁ ଆସିଥିବା ୭ ଜଣିଆ ଏସଟିଏଫ ଟିମ୍ ୩ ଘଂଟା ଧରି ଯାଂଚ୍ କରିଥିଲେ ।