ଭୁବନେଶ୍ୱର, ଆସନ୍ତାକାଲି (ରବିବାର)ଏଏସ୍ଆଇର ଏକ ଟିମ୍ ପୁରୀ ଗସ୍ତ କରି ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ମେ’ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ । ମେ’ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା । ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଗୁହାରି କରିଥିଲେ ଆବେଦନକାରୀ । ତେଣୁ ମେ’ ୯କୁ ଦିନ ଧାର୍ଯ୍ୟ କରାଯାଇଛି । ଏହାପୂର୍ବରୁ ମେ’ ୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଏହା ପୂର୍ବରୁ ପ୍ରକଳ୍ପ ଅନୁଧ୍ୟାନ ପାଇଁ ବିଶେଷଜ୍ଞ ଟିମ୍ ଆସୁଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ)ର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି । ଏନେଇ କିଛି ଦିନ ହେଲା ବିବାଦ ଚାଲିଛି । ଏ ସଂପର୍କରେ ଦିଲ୍ଲୀପ କୁମାର ବରାଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ । ଏପ୍ରିଲ ୮ ତାରିଖରେ ମାମଲାର ଶୁଣାଣି କରି ମେ ୧୬ ତାରିଖକୁ ପରବର୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ । ଏହାରି ଭିତରେ ନିର୍ମାଣ ସ୍ଥାନର ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ଅନୁରୋଧ କରିବା ପରେ ପୁଣି ମେ ୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହାର ୨ ଦିନ ପୂର୍ବରୁ ଅର୍ଥାତ ମେ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।