ଭବାନୀପାଟଣା – ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁ ପୁତ୍ରଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ । ମାଆ ବିମଳା ମାଝି ବଡ ପୁଅ ୬ ବର୍ଷିୟ ଦୁଷ୍ମନ୍ତ ଓ ସାନପୁଅ ୪ ବର୍ଷିୟ ରୋହିତଙ୍କର ତଂଟି କାଟି ହତ୍ୟା କରିବା ପରେ ଗାଁ ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଶୌଚପାଇଁ ଯାଇଥିବା ଗ୍ରାମର କେତେକ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ଘଟଣାସ୍ଥଳରେ ପହଂଚି ରେଳ ଧାରଣାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର କରିବା ସହ ଶିଶୁ ଦ୍ୱୟଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରିଥିଲା । ଦୁଇ ପିଲାଙ୍କ ତଂଟିରେ କଟା ଦାଗ ରହିଥିବା ଦେଖିବାକୁ ମିଳିଥିଲା । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶାବାଦୀ ରହିଛି ।
ସୂଚନାଯୋଗ୍ୟ ଯେ, ପାରିବାରିକ ଅଶାନ୍ତି ଓ ମନୋମାଳିନ୍ୟ କାରଣରୁ ଗତ କିଛି ମାସ ହେଲା ବିମଳାଙ୍କ ସ୍ୱାମୀ ତାଙ୍କ ସହ ରହୁନଥିଲେ । ଫଳରେ ଦୁଇ ପିଲାଙ୍କୁ ଧରି ରହୁଥିଲେ ବିମଳା । ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିଲା । ମାନସିକ ଭାରସାମ୍ୟ ହରାଇ ବିମଳା ପ୍ରଥମେ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରିବା ପରେ ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଅନ୍ୟପକ୍ଷରେ ଏହି ଖବର ସାଧାରଣରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।