
ଭୁବନେଶ୍ୱର, ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ୧୦ଟାରେ ଶେଷ ହେବ ।
ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତନ କରାଯାଇଛି । କେବଳ ପ୍ରଥମ ସିଟିଂରେ ପରୀକ୍ଷା ହେବ । ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ସେହିପରି ଓପନ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ । ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତନ ହୋଇନାହିଁ ।
ଏପ୍ରିଲ ୨୯ ରୁ ମେ ୭ ଯାଏଁ ସକାଳ ୮ ଟା ରୁ ୧୦ଟା ଯାଏଁ ମାଟ୍ରିକ ପରୀକ୍ଷା ହେବ । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୨୯ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଖରା ପାଇଁ ସକାଳ ସିଟିଂରେ ପରୀକ୍ଷା ହେବ । ପ୍ରତ୍ୟେକ ବିଷୟ ପାଇଁ ପିଲାଙ୍କୁ ୨ ଘଂଟା ସମୟ ମିଳିବ । କେବଳ ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ।
ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଂଟର କରାଯାଇଛି । ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ ।
ପରୀକ୍ଷା ଦିନ ନୋଡାଲ ସେଂଟରରୁ ପ୍ରଶ୍ନପତ୍ର ଗୁଡିକ ସକାଳ ୫ ଟାରୁ ବାହାରି ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଂଚିବ । ପ୍ରଥମ ଦିନରେ ପିଲାମାନଙ୍କୁ ସକାଳ ୭ଟାରେ ପରୀକ୍ଷାକେନ୍ଦ୍ରମଧ୍ୟକୁ ଛଡାଯିବ । ପରବର୍ତୀ ଦିନ ମାନଙ୍କରେ ୭ଟା ୨୦ରେଯିବାକୁ ଦିଆଯିବ । ୭ଟା ୪୫ ରେ ପିଲାମାନଙ୍କୁ ଓଏମଆର ସିଟ୍ ଦିଆଯିବ । ସେହିପରି ନୋଡାଲ ସେଂଟର ଗୁଡିକରେ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଂଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି ।
ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ପକ୍ଷରୁ ୪ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି । ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ବୋର୍ଡ କାର୍ଯ୍ୟାଳୟକୁ ଅନ୍ଲାଇନ୍ରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି ।