ଭୁବନେଶ୍ୱର, ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । ବର୍ତମାନର କଟକ ଡିସିପି ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ବର୍ତମାନ ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୋଲିସ୍ କମିଶନର (ଏସିପି) ଭାବେ ନିଯୁକ୍ତି ଦିଆଯାଇଛି । ଏସମ୍ପର୍କରେ ଶୁକ୍ରବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ସ୍ପେଶାଲ ଡିଜି (ସ୍ପେଶାଲ ଆର୍ମଡ ପୋଲିସ୍) ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି । ଜେଲ୍ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ସେବା ଓ ହୋମ୍ ଗାର୍ଡସ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି । କ୍ରାଇମବ୍ରାଂଚ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହାସହ ତାଙ୍କୁ ଓଡିଶା ଷ୍ଟେଟ୍ ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ ର ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିପରି ବର୍ତମାନ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଂଚ ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଛି । ତେବେ ପରିବହନ କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ସତୀଶ କୁମାର ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ ଭାବେ ନିଯୁକ୍ତି ମିଳିଛି । ବର୍ତମାନର ଆଇଜି ହୋମଗାର୍ଡ ସଫିନ୍ ଅହମ୍ମଦଙ୍କୁ ଏଚଆରପିସି ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଟ୍ୱିନ୍ ସିଟି ଅତିରିକ୍ତ ପୋଲିସ୍ କମିଶନର ଥିବା ନିତି ଶେଖରଙ୍କୁ ପଶ୍ଚିମାଂଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି ।
ସେହିପରି ନବରଙ୍ଗପୁର ଏସ୍ପି ଥିବା ପରମାର ସ୍ମିତ ପରଷୋତମଦାସଙ୍କୁ ବରଗଡ଼ ଏସ୍ପି ଭାବେ ବଦଳି କରାଯାଇଛି । ଏବେ ବରଗଡ଼ ଏସ୍ପି ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି । କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଏମ୍ ଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଥିବା ଏସ୍. ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍ପି, ନାରକୋଟିକ୍ସ ସ୍ପେଶାଲ୍ ଟାକ୍ସ ଫୋର୍ସ ଏସ୍ପି ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସ୍ପି ଓ ଖୋର୍ଦ୍ଧା ଏସ୍ପି ଥିବା ଅଖିଳ ପହି (ଓପିଏସ୍)ଙ୍କୁ ନୟାଗଡ଼ ଏସ୍ପି ଭାବେ ବଦଳି କରାଯାଇଛି ।