ଭୁବନେଶ୍ୱର,ଆସନ୍ତା ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତୀ ୨୪ ଘଂଟା ମଧ୍ୟରେ ସମ୍ପୃକ୍ତ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଂଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ଏପରି ହେଲେ ତାପମାତ୍ରାରେ ପରିବର୍ତନ ଆସିପାରେ ବୋଲି ଆକଳନ କରାଯାଉଛି ।
ଅପରପକ୍ଷରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ବଡ ଧରଣର ପରିବର୍ତନ ହେବ ନାହିଁ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ତାତି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେଣୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼,କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ,ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ହେବ । ଏହି ଜିଲ୍ଲାଗୁଢ଼ଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏପ୍ରିଲ ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲା ବି ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି । ଏହି ସମୟରେ ଅସୁସ୍ଥ ଥିବା ଲୋକଙ୍କ ସହିତ ନବଜାତ ଓ ବୃଦ୍ଧଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ହେବ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ।ଫସଲଗୁଡିକର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।